Unknown

 

 

 

 

 

 

 

 

 

ପାବନ ତୀର୍ଥଭୂମି ହରିଶଙ୍କର

ଶ୍ରୀ ପଦ୍ମନାଭ ମିଶ୍ର

 

ଓଁ ଶ୍ରୀ ଶ୍ରୀ ଶ୍ରୀ ହରିଶଙ୍କରାୟ ନମଃ

(ନଟବାଣୀ)

 

ପୁରାଣ ବର୍ଣ୍ଣିତ ହେ ଗନ୍ଧମାର୍ଦ୍ଦନ

ତୁମ୍ଭ ଯୋଗୁଁ ପରା ସୁମିତ୍ରା ନନ୍ଦନ ।

ପୁନରାୟ ପ୍ରାଣ ଲଭି ରଘୁପତି

ପଙ୍କଜ ଚରଣେ ଢାଳିଲେ ପ୍ରଣତି ।

ଆଣୁଥିଲେ ଯେବେ ବୀର ହନୁମାନ

ସ୍କନ୍ଧଦେଶେ ବହି ତୁମ୍ଭ ସାନୁମାନ ।

ସେ ନଗର ଛାୟା ଅଯୋଧ୍ୟା ନଗରେ

ପଡ଼ି ଜାତ ଶଙ୍କା ଭରତ ଅନ୍ତରେ ।

ଆଶୁ ସମାଧାନ ଆଶାରେ ତତ୍ପର

ହୋଇ ସେ ଖଞ୍ଜିଲେ ବାଟୁଳି ମାତର ।

ସେ ସ୍ଥଳେ ଯା ହେଲା ନ ଅଛି ଗୁପତ

ହାରି ପରସ୍ପରେ ହେଲେ କୋଳାଗ୍ରତ ।

ସେ କାଳ ତପସ୍ୱୀ ଭରତ ରାଜୁତି

ଭ୍ରାତୃପ୍ରୀତି ଦେଶ ବତ୍ସଳତା ଭୂତି ।

ଦେଖି ବାତସୁତ ନତ କଲେ ମଥା

ଆଜିଯାଏ ରହି ଅଛି ସେହି କଥା ।

ଏବେ ଦେଶପ୍ରେମେ ବାଜଇ ବାଜଣା

ରାମରାଜ୍ୟ ସଙ୍ଗେ ଦେଶ ହେବ ଗଣା ।

ସ୍ୱାର୍ଥ ତ୍ୟାଗ ହେବ ଯାର ମୂଳ ମନ୍ତ୍ର

ନୀତି ହେବ ଯାର ମୂଳ ଗଣତନ୍ତ୍ର ।

ସବୁ ସମୟରେ ସବୁ ଦେଶବାସୀ

ମଣିବେ ନିଜକୁ ରାମରାଜ୍ୟବାସୀ ।

ଦେଖିଛ ଆପଣ ରାମରାଜ୍ୟ ହାଲ

ଏବେ ତ ଶୁଣୁଛ ସେ ସକଳ ଚାଲ ।

ତୁଳନୀୟ କାହୁଁ ହୋଇଛି ଜଗତେ

ସରୋବର କେହି ସମୁଦ୍ର ସଙ୍ଗତେ ।

ଆଜି ତବ ପଦେ ହୋଇ ଉପଗତ

କରେ ନମସ୍କାର ଘେନ ହେ ପର୍ବତ ।

ବେତନ ଭୋଗୀ ମୁଁ ଅଟଇ ଚାକର

ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗର ।

ଭାଗ୍ୟବଶୁଁ ଆଜି ପାଇଛି ସୁଯୋଗ

ନିରିଜନ ଗୀତି ହେବ ଉପଭୋଗ ।

ଭୌଗଳିକ ଖ୍ୟାତି ନଥାଉ ତୁମ୍ଭର

ସୌନ୍ଦର୍ଯ୍ୟର ମାତ୍ର ଅଟ ଗନ୍ତାଘର ।

ତେଜରୂପ ଭୀମବପୁ ଦୀର୍ଘାକାର

ବସନ୍ତ ବିଥିକା ବିପଣୀ ସମ୍ଭାର ।

ଭାବାନ୍ତର ମନେ କରେ ମୋର ଜାତ

ଇତିହାସ କ୍ଷେତ୍ରେ କରେ ନେତ୍ର ପାତ ।

ନଶ୍ୱର ନରର ଗରିମାର ଛବି

ଅଙ୍କିତ ହୋଇଛି ତୁମ୍ଭର ଅଟବୀ ।

ଶ୍ରୀ ହରିଶଙ୍କର ଜଟାଜୂଟଧର

ସଙ୍ଗେ ମାହେଶ୍ୱରୀ ମଣ୍ଡନ୍ତି ଭୂଧର ।

ଯେ ଶିବ ମସ୍ତକୁ ଗଙ୍ଗାବତରଣ

କରି କରେ ଧୀରେ ପଦପ୍ରକ୍ଷାଳନ ।

କ୍ଷୁଦ୍ରଧାର ଏକ ବହି ସେ ପ୍ରଦେଶେ

ନାମକୁ ସାର୍ଥକ କରଇ ବିଶେଷେ ।

ସୁନିର୍ମଳ ପୟ କି ଅମୃତଧାରା

ସୁଦିନେ ଦୁର୍ଦ୍ଦିନେ ଯେ ସମାନଧାରା ।

ଗିରି ଶୀର୍ଷଟଙ୍କ ଛାଡ଼ି, ମନୋରମେ

ବନ୍ଧୁର ଦୁର୍ଗମ ପଥ ଅତିକ୍ରମେ ।

ଆସେ କି ଅପ୍ସରା ମେନକା ସୁନ୍ଦରୀ

ସ୍ୱର୍ଗ ପୁରୁଁ ଧରାପରେ ଅଦତରୀ ।

ପଶି ବେଳେବେଳେ ତୋ ଗିରି କୋଟରେ

ଭୀମ ଭୟଙ୍କର ଗରଜନ କରେ ।

ଲକ୍ଷ୍ୟ ଯେଣୁ ସ୍ଥିର ବାଧା ନ ମାନଇ

ଗିରିଟଙ୍କ ଭେଦି ପୁଣି ବାହାରଇ ।

ଦର୍ଶକ ନୟନେ କଳ୍ପିତ ଛବିର

ପ୍ରତିଛବି ଧରି ହୁଅଇ ଛବିଳ ।

ପୂର୍ବାକାଶ ରଞ୍ଜି ବିବିଧ ରାଗରେ

ରବି ହେଲେ ଆସି ଉଦୟ ଅଚଳେ ।

ଧର୍ମର ପ୍ରଭାବେ ପାପ ରାଶିପରି

ଲୁଚିଯାଏ ଶଶି ସୂର୍ଯ୍ୟାଲୋକେ ଡରି ।

ମାୟା ଜାଲ ଯେହ୍ନେ ସଂସାରି ଜୀବନେ

କୁହୁଡ଼ି ଘୋଟଇ ତୋର ଏ କାନନେ ।

ଧର୍ମର ଡିଣ୍ଡିମେ କେବେ ପାପାଚାର

ମରଲୋକେ ହୋଇ ପାରେ କି ପ୍ରଚାର ।

ସବିତା ଦେବତା କରଜାଳେ ଜଳି

କୁହୁଡ଼ି ପଳାଏ ଶୃଙ୍ଗ ଶୂନ୍ୟ କରି ।

ଆଗମନ କଲେ ଦେବ ଆଖଣ୍ଡଳ

ନବବର୍ଣ୍ଣ ଧରେ ତୋର ବକ୍ଷ ସ୍ଥଳ ।

ଦ୍ୱିଜ କୋଳାହଳେ ହୁଏ ମୁଖରିତ

ଦୂରେ ଶୁଣାଯାଏ ଚଷା ପୁଅ ଗୀତ ।

କାହିଁବା କୋକିଳ ମଧୁର କୂଜନ

ମୋହି ନେଇଥାଏ ପଥିକର ମନ ।

ମରୁତ କମ୍ପିତ ତରୁ ପତ୍ରରାଜି

ଶୀତଳ ଶୀକର ଦେହେଗଲେ ବାଜି ।

ଶାରୀରିକ କଷ୍ଟ ମାନସିକ ବ୍ୟଥା

ଏକ ସଙ୍ଗେ ହରି ନିଅଇ ସର୍ବଥା ।

ପ୍ରିୟ ପ୍ରଣୟିନୀ ପଙ୍କଜ ଆନନେ

କର ରୂପ କର ଲଗାଇ ଗୋପନେ ।

ପ୍ରେମାଳସୀ ମୁଖେ ଉକୁଟାଇ ହାସ

ଦିନେଶ ରଚନ୍ତି ଦିବସ ବିଳାସ ।

ପାହିଲାଣି ରାତି ବାରତା ପ୍ରଚାର

କରେ ବାବଦୁକ କାକ ହୋଇ ଚାର ।

ନିଶାଚର ମନେ ଉପୁଜାଇ ଭୟ

ତକ୍ଷଣେ ତୋ କ୍ରୋଡ଼େ ଅଭୟ ଆଶ୍ରୟ ।

ଦେଇ ରଖୁ ତାଙ୍କୁ ଯାବତ୍‍ ପ୍ରଦୋଷ

ନହୋଇଛି, କ୍ଷମି ତାଙ୍କ ସର୍ବଦୋଷ ।

ଅବାଧ୍ୟ ହୋଇଲେ ସନ୍ତାନ ପିତାର

ଭୀତିକୁ ଜଗାଇ ସନ୍ତାନ ଅନ୍ତର ।

ପରକ୍ଷଣେ ଯେହ୍ନେ ସେହି କଷ୍ଟ ହରେ

ଚୁମ୍ୱ ଦେଇ ମୁଖେ ମନତୁଷ୍ଟ କରେ ।

ହେଲେ ହେଁ ଶ୍ୱାପଦେ ତୋ ଅବାଧ୍ୟ ସୁତ

ପିତୃଭାବ କେବେ ଛାଡ଼ି ପାରିନୁ ତ ।

ଦେହଯାର ଶୁଦ୍ଧ ମନଯାର ଶୁଦ୍ଧ

ଯାଗ୍ଦର ନିତି ସେବା ତୋ ବାୟୁ ବିଶୁଦ୍ଧ ।

ଶ୍ରୀହରି ଶଙ୍କର ପଦେ ହୋଇ ନତ

ବାଛି ନେଇଛନ୍ତି ଯେହୁ ତ୍ୟାଗପଥ ।

ତୋର ରମ୍ୟ ଗିରି କୋଟର ନିବାସୀ

ସ୍ନାନାର୍ଥେ ଏକାଳେ ଚଳଇ ସନ୍ୟାସୀ ।

ଓଁକାର ସହିତେ ପୂତ ବେଦ ମନ୍ତ୍ର

ନିଃସରଇ କଣ୍ଠୁ ଯେହ୍ନେ ବୀଣା ଯନ୍ତ୍ର ।

ପ୍ରଭାତ ମଙ୍ଗଳ ଆଳତୀ ମନ୍ଦିରେ

ଘଣ୍ଟ ଘଣ୍ଟା ନାଦ ପ୍ରସରଇ ଧୀରେ ।

କାହାଳୀ ମର୍ଦ୍ଦଳ କମ୍ୱୁ ସ୍ୱନ ମିଶି

ଉଚ୍ଚେ ଡାକେ ପ୍ରଭୁ ପାହିଲାଣି ନିଶି ।

ଜୟ ଶିବଶମ୍ଭୁ ମହାଦେବ ହର

ଭକତ ସେବକ ସମ୍ମିଳିତ ସ୍ୱର ।

ତୋ ଗିରି ଗୁହାରେ ଏତେ ସବୁ ସ୍ୱନ

ପ୍ରତିଧ୍ୱନି ତୋଳି ଜଗାଏ କମ୍ପନ ।

ଖଗ କୁମ୍ଭାଟୁଆ ହୋଇଥାଏ ଭାଟ

ନର୍ତ୍ତକ ମୟୁର କରୁଥାଏ ନାଟ ।

ଋତୁ ଅନୁକ୍ରମେ ନାନାବିଧ ଫୁଲ

ସମ୍ଭାରେ ତୋ ତନୁ ଦିଶଇ ମଞ୍ଜୁଳ ।

ସୁଗନ୍ଧ ଲୁଟଇ ସମୀର ଏକାଳେ

ଗନ୍ଧ ବହ ନାମ ବହେ କାଳେ କାଳେ ।

ମାତ୍ର ସେ ନୁହଁଇ ନୀଚ ସ୍ୱାର୍ଥପର

ବିତରଇ ବାସ ସବୁରି ପାଶର ।

କାହିଁ ମୃଗମଦ ଗନ୍ଧେ ହୋଇ ବାଇ

ମୃଗ ଯୁଥ ପତି ଭ୍ରମି ହେଉଥାଇ ।

ତୋର ପାଦଦେଶ ବସତି ମଣ୍ଡଳେ

ପାହିଲାଣି ରାତି ବାରତା ସଂଚରେ ।

କର୍ମ ଅନୁରୂପେ ଅଧିବାସୀ ଗଣ

ନିଜ କର୍ମ କ୍ଷେତ୍ରେ କରନ୍ତି ଗମନ ।

ଗଲାବେଳେ ଦୂରୁ ଶ୍ରୀହରି ଶଙ୍କରେ

ପ୍ରଣମନ୍ତି ଭକ୍ତି ପୂତ ଅନ୍ତରରେ ।

ଦିନଟି ଯେପରି କଟିବ ସୁଖରେ

ଏଇ ଭାବ ପୋଷି ଥାଆନ୍ତି ମନରେ ।

ଅତୀତର ସିଏ ନୁହଁଇ ଧାରୁଆ

ଭବିଷ୍ୟତ ପାଇଁ ଥାଏ ବେପରୁଆ ।

ମିଠା ଫଳଟିଏ ଖାଇଥିଲେ ଥରେ

ଆଉଟିଏ ପାଇଁ ସିନା ମନବଳେ ।

ମାତ୍ର ଯା ଜୀବନେ ଲେଖା ନାହିଁ ସୁଖ

ଚିର ସହଚର ଅଟେ ଯାର ଦୁଃଖ ।

ସେ କିଆଁ ଲୋଡ଼ିବ ସୁଖକୁ ଜୀବନେ

ସେପାଇଁ ଆଣିବ ଲୋତକ ନୟନେ ।

କୃଷିଜୀବି ଆଗେ ହଳଟି ଅଡ଼ାଇ

ଚାଲଇ ଖେତକୁ ଗୀତ ଗାଇ ଗାଇ ।

ହେଉଥାଉ ଖରା, ବର୍ଷା ଅବା ଶୀତ

କାମ ବେଳେ ସଦା ମୁଖେ ଥାଏ ଗୀତ ।

ବେଦନା ବ୍ୟଞ୍ଜକ ସେ ଗୀତର ଭାବ

ଶ୍ରବଣେ ମନରେ ପକାଏ ପ୍ରଭାବ ।

କାଷ୍ଠ ଜୀବି ଧରି କଟାରୀ ହସ୍ତରେ

କାଠ ପାଇଁ ଆସି ବୁଲେ ତୋ ବନରେ ।

ଯେ କରଇ ଆଶ୍ରା, ତୁ ମହତ ଜନ

ଅନାୟାସେ କର ତା ଆଶା ପୂରଣ ।

ସର୍ବତ୍ୟାଗୀ କାଶୀବାସୀ ସେଥିଲାଗି

ତୋ କ୍ରୋଡ଼ ବିଜୟେ ହେଲେ ଅନୁରାଗୀ ।

ଅଧିକନ୍ତୁ ରମଣୀୟ କରିବାକୁ

ସହଚରୀ କରି ଅଛନ୍ତି ଗଙ୍ଗାକୁ ।

ପାଦଦେଶ ଗ୍ରାମୁ ଗାଈଆଳ ସଙ୍ଗେ

ଗୋଷ୍ଠ ଘେନି, ବେଣୁ ବାଇ ନାନାରଙ୍ଗେ ।

ସହଚର ସହଚରୀ ମେଳେ ଖେଳି

ହର୍ଷୋତ୍ତଫୁଲ୍ଲ ମନେ ହୋଇ ଏକମେଳି ।

ତୋ କାନନେ ଭ୍ରମେ ଆସି ସାରାଦିନ

ଜନନେତ୍ରେ ମାତ୍ର ଅଟଇ ସେ ହୀନ ।

ସୁ କୋମଳ ତୃଣେ ଉଦର ପୁରାଇ

ଗୋ ଗୋଷ୍ଠ ମିଳଇ ଝର କୂଳେ ଯାଇ ।

ଝର ନୀର କରି ଆକଣ୍ଠ ସେବନ

ତରୁ ତଳେ ଶୋଇ କରେ ରୋମନ୍ଥନ ।

ସଖା ମେଳେ ଖେଳି ଗାଈଆଳ ଦଳ

ବନୁ ଆହରନ୍ତି ନାନାବିଧ ଫଳ ।

ଝରକୂଳେ ବସି ଗୀତ ଗାଇ ଗାଇ

ପୁରାନ୍ତି ଉଦର ଫଳ ମୂଳ ଖାଇ ।

ସରେ ନାହିଁ କନ୍ଦା, ସରେ ନାହିଁ ଫଳ

ଘରେ ନେବା ପାଇଁ ବାନ୍ଧନ୍ତି ସକଳ ।

ଝର ଜଳ ଯାହା ଅମୃତ ସମାନ

ତୃଷା ନିର୍ବାରନ୍ତି କରି ତାହା ପାନ ।

ସୁଶ୍ୟାମଳ ପର୍ଣ୍ଣ ପୁଷ୍ପର ସମ୍ଭାର

ଘେନି ଲତା ବେଢ଼ିଥାଏ ସହକାର ।

ମୃଦୁ ହିଲ୍ଲୋଳରେ ଦୋଳାୟିତ ମାନ

ଲତା ଦୋଳେ ବସି କରୁଥାନ୍ତି ଗାନ ।

ଉଷାର ଆଲୋକେ କେ ଖଗ ଦମ୍ପତ୍ତି

ଚୁମ୍ୱି ପରସ୍ପରେ ପ୍ରେମ ଭରେ ଅତି ।

କରିବେ ସଂଗ୍ରହ ଦିବସ ଆହାର

ସାଥି ହୋଇ ଦୁହେଁ ହୁଅନ୍ତି ବାହାର ।

ତାଙ୍କ ରାଜ୍ୟେ ପରା ନାହିଁ ହିଂସାଦ୍ୱେଷ

ପର ଅଧୀନତା ନାହିଁ ସେଠି ଲେଶ ।

କରୁଣା ଏତିକି କରିଛି ପ୍ରକୃତି

ତାଙ୍କୁ ଦେଇ ନାହିଁ ସଞ୍ଚୟ ପ୍ରବୃତ୍ତି ।

କିଛି ହରାଇବା ଭୟ ନଥିବାରୁ

ନୀଡ଼ ତ୍ୟାଗ କରି ସକାଳୁ ସକାଳୁ ।

ମନର ଆନନ୍ଦ ଉପଭୋଗ କରି

ଖାଦ୍ୟ ଖୋଜିଯାନ୍ତି ଗଗନେ ବିହରି ।

ଯଦି କେବେ ନୀଡ଼େ ଥାଆନ୍ତି ଶାବକ

ଏକଗଲେ ଚାଲି ଜଗଇ ଆରକ ।

ବାତ୍ସଲ୍ୟ ମମତା ବଳେ ହୋଇ ବାଇ

ଖାଦ୍ୟ ଆଣି ଶିଶୁ ଚଞ୍ଚୁରେ ପୁରାଇ ।

ନିଜ କ୍ଷୁଧା ଭୁଲି ଶାବକ ଉଦର

ପୁରଣରେ ସଦା ଥାଆନ୍ତି ତତ୍ପର ।

ନୈଶ୍ୟ ଅଭିଯାନ କରି ସମାପନ

ଫେରୁଥାଏ ଯେବେ ଶାର୍ଦ୍ଦୁଳ ରାଜନ ।

ବାଟରେ ତାହାର ରାତିଗଲେ ପାହି

ଦଉଡ଼େ ତୋ କୋଳେ ମନେ ଭୟ ପାଇ ।

ନାନ୍ଦୁପଲା ଗ୍ରାମ-ପର୍ଣ୍ଣ-ଛାତ-ଫାଙ୍କ

ଧୂମରାଶି ଉଠେ ଉର୍ଦ୍ଧ୍ୱେ ହୋଇ ବାଙ୍କ ।

ବିଦ୍ୟାର୍ଥୀଏ ବିଦ୍ୟା ଅଧ୍ୟୟନ ଆଶେ

ଭକ୍ତିରେ ନମନ୍ତି ଯାଇ ଗୁରୁ ପାଶେ ।

ଗୃହ କର୍ମ ରଣପଲ୍ଲୀ ବଧୁ ଗଣ

ସନ୍ତାନ କ୍ରନ୍ଦନେ ନଦେଇ ଶ୍ରବଣ ।

ଗୃହକର୍ମ ଶୀଘ୍ର ସାରିଲେ ତାଙ୍କର

ଖଟିବେ ଯାଇ ସେ ସାହୁକାର ଘର ।

ନବାନ୍ନ ପାଳିଛି କରଜ ଦାୟରେ

ବନ୍ଧା ସେ ପଡ଼ିଛି ସାହୁକାର ଘରେ ।

ଅବିଶ୍ୱାସୀ ହେବା ତାର ଜୀବନରେ

ଅବହେଳେ କେବେ ପ୍ରବେଶି ନପାରେ ।

ମାତ୍ରକ ଧନିକ ସହରୀ ଲଳନା

ଚାହା ବିନା ତଳ୍ପ ତ୍ୟାଗର କଳ୍ପନା ।

କରି ଯେ ନପାରେ କେବେ ଜୀବନରେ

ଦିବା ଅର୍ଦ୍ଧପାଏଁ ଶୁଏ ନିଶ୍ଚିନ୍ତରେ ।

ଏଇ ଯେ ଗୃହିଣୀ ଅଫିସରଙ୍କର

ଆରାମେ ଆରାମ-ବଙ୍ଗଳା ମଧ୍ୟରେ ।

ରମ୍ୟ ସୂର୍ଯ୍ୟୋଦୟ ଦର୍ଶନ ଯାହାର

ଜୀବନରେ ଘଟି ନାହିଁ ଏକବାର ।

ପ୍ରଭାତର ମୃଦୁ ସମୀରଣ ସ୍ପର୍ଶ

ଜାତ ଜ୍ୱର ଦେହ ହୁଅଇ ଅବଶ ।

ପ୍ରକୃତିର ଗୀତ ଶୁଣିବାକୁ କାନ

ନଦେଇ ଶୁଣନ୍ତି ଯେ ରେଡ଼ିଓ ଗାନ ।

ଦୁଃଖୀ ରଙ୍କି ପ୍ରତି ଯାହାଙ୍କ ପ୍ରକୃତି

କୁଳିଶୁଁ କଠିନ ହୋଇଥାଏ ଅତି ।

ନିର୍ବିକାରେ ଏବେ ତୁଳୀତଳ୍ପ ପରେ

ଶୋଇ ରହିଛନ୍ତି ନିଘୋଡ଼ ନିଦରେ ।

ଦାନା କନା ପଛେ ନଥାଉ ତୁମ୍ଭର

ଉଣା ନ ହୋଇବ ବ୍ୟସନ ତାଙ୍କର ।

ଜାଗତିକ ସୁଖ ବିନା ପରିଶ୍ରମେ

ଯୁଟେ ଯାହା ଭାଗ୍ୟେ ଅବଲୀଳାକ୍ରମେ ।

ସେ କାହୁଁ ବୁଝିବ ଗରିବର ଦୁଃଖ

ଗରିବ ଦେଖିଲେ ମୋଡ଼ିଦିଏ ମୁଖ ।

ମଧ୍ୟାକାଶେ ଆସି ହେଲେ ଦିନମଣି

ଦ୍ୱିଗୁଣିତ ହୁଏ ତୋ ସୌନ୍ଦର୍ଯ୍ୟ ଖଣି ।

ବାତ ଆନ୍ଦୋଳିତ ନବୀନ ପତର

ଚକମକ କରେ ପାଇ ଭାନୁକର ।

ଖରା ସଙ୍ଗେ ଛାୟା ଖେଳେ ଲୁଚକାଳି

ମାଡ଼ିଗଲେ ଖରା ଛାୟା ଯାଏ ଚାଲି ।

ସ୍ୱଚ୍ଛ ଝରଧାରେ ଦେବ ବିକର୍ତ୍ତନ

ପ୍ରତିବିମ୍ୱ ଖେଳି ଭ୍ରମାଏ ନୟନ ।

ଅମ୍ୱର ସବିତା ଅତୀବ ପ୍ରଖର

ଅମ୍ୱୁସ୍ଥ ଶୁଭ୍ରାଂଶୁ ନାତିଉଷ୍ମକର ।

ଆହାର ସଂଗ୍ରହ କର୍ମରୁ ବିରତ

କିଛିକ୍ଷଣ ହୋଇ ବିଶ୍ରାମ ଆରତ ।

ତରୁଛାୟା, ବୃକ୍ଷ ଗହଳ ଡାଳରେ

ବିଶ୍ରମନ୍ତି ପଶୁପକ୍ଷୀ ଏ କାଳରେ ।

କୁଳୁକୁଳୁ ନାଦେ ବହୁଥାଇ ଝର

ପରିବେଶ ହୁଏ ନିସ୍ତବ୍ଧ ନିଥର ।

କଦବା ଝିଙ୍କାରି ଝଙ୍କାର ଶୁଭଇ

ବୃକ୍ଷଡ଼ାଳେ କେବେ ମର୍କଟ ନାଚ଼ଇ ।

ଦେବାଳୟ ମହନରେ ଭକ୍ତଗଣ

କ୍ଲାନ୍ତି ହାରିବାକୁ କରନ୍ତି ଶୟନ ।

ଏ ସମୟେ ତୋର ଗମ୍ଭୀର ସ୍ୱରୂପ

ମନେ ଆଣେ ଦେବଦେବ ରୁଦ୍ରରୂପ ।

ପ୍ରଚଣ୍ଡ ମାର୍ତ୍ତଣ୍ଡେ ଡରି ପ୍ରଭଞ୍ଜନ

କାଟନ୍ତି ତୋ କୋଳେ ନିରୁଦ୍ଧ ଜୀବନ ।

ଅସ୍ତାଚଳେ ହେଲେ ଦେବ ଆଖଣ୍ଡଳ

ଦୂରେ ଯାଇଥିବା ପକ୍ଷୀ ଦଳ ଦଳ ।

ଆହାର ସଂଗ୍ରହ କରି ସମାପନ

ନୀଡ଼ ଅନୁସରି ପ୍ରତି ଆଗମନ ।

ଉଚ୍ଚତରୁ ଡାଳ ଦେଖିଲେ ପଥରେ

କିଛିକ୍ଷଣ ବସିଯାନ୍ତି ଥରେ ଥରେ ।

କେହି ଲୋଭୀ ପକ୍ଷୀ ଭୂମିରେ ଆହାର

ଦେଖି ଖୁଣ୍ଟି ଆଣେ ଚଞ୍ଚୁରେ ତାହାର ।

ଅସ୍ତଗାମୀ ଅଂଶୁମାଳୀ ଅଂଶୁଝଳି

ବିହଙ୍ଗମ ପକ୍ଷ ଉଠଇ ଉଜ୍ଜଳୀ ।

କଳରବେ ବନ ହୁଏ ମୁଖରିତ

ସତେ କି ପ୍ରକୃତିରାଣୀ ଗାଏ ଗୀତ ।

ସୁଧୀର ସମୀର ପ୍ରସରି କାନନେ

ଜଗାଏ ବେପଥୁ ଶିହିରୀତ ମନେ ।

ଗୋପାଳକ ଦଳ ପର୍ବତୁ ଓହ୍ଲାଇ

ଆଗେ ଆଗେ ଗାଈ ପଲକୁ ଅଡ଼ାଇ ।

ନିଜ ନିଜ ଗୃହେ ଯାଇଥାନ୍ତି ଫେରି

ଦିବା ଅବସାନେ ସନ୍ଧ୍ୟାଲୋକ ହେରି ।

କଦବା ବାଟରେ ଭେଟିଲେ ବରଷା

ଗାଆଣି ଗାଇ ନପାରେ ତାଙ୍କ ଦଶା ।

ଗାଈ ପଛେ ବୁଲି ଫଳ ମୂଳ ସହ

କାଠିପତ୍ର କିଛି କରନ୍ତି ସଂଗ୍ରହ ।

ଘରେ ଆଣି ତାହା ଘର ଅନାଟନ

ଦୂରୀ କରଣରେ ଦେଇଥାଏ ମନ ।

ପ୍ରଭାତରେ ଗୃହେ ଛାଡ଼ି ଆସିଥିବା

ଦୂରୁଁ ମାଆ ଡାକେ ବତ୍ସା କରେ ହମ୍ୱା ।

ବାତ୍ସଲ୍ୟରେ ଅନ୍ଧ ଦୁହାଁଳିଆ ଗାଈ

ଗୋ ଗୋଷ୍ଠର ଆଗେ ଆଗେ ଚାଲୁଥାଇ ।

ଥରେ ଥରେ ଉଚ୍ଚେ ହମ୍ୱାରଡ଼ି କରେ

ପ୍ରତିଧ୍ୱନି ସୃଷ୍ଟି ହୁଅଇ ବନରେ ।

ନିକଟରେ ପାଇଗଲେ ତା ବତ୍ସାକୁ

ନକରେ ବିଳମ୍ୱ ମୁଖ ଚାଟିବାକୁ ।

ଓଲିଆ ଗାଈକୁ କରିବାକୁ ସାଧ୍ୟ

ଗଳା ସହ ଜାନୁ ବନ୍ଧନରେ ବାଧ୍ୟ ।

ହୋଏ ଗୋପାଳକ, ଭାବି ନ ପାରଇ

କେତେ କଷ୍ଟ ପାଏ ଅସହାୟା ଗାଈ ।

ଦୋଷ ଅନୁରୂପେ ମିଳେ ସିନା ଦଣ୍ଡ

ମାତ୍ରାଧିକ ହେଲେ ହୁଏତା ପ୍ରଚଣ୍ଡ ।

କାଳ ଆବର୍ତ୍ତନେ ବେଶ ତୋ ବଦଳେ

ସତେ ଅବା ଏଥି ଛାୟା ଚିତ୍ର ଚଳେ ।

ଋତୁ ପର୍ଯ୍ୟାୟରେ ଅଭିନବ ବେଶ

କେବେ ହର୍ଷ କେବେ ଦୁଃଖରେ ଆବେଶ ।

ହୋଲା ପରି ଦିଶେ ସୁନ୍ଦର ଆନନ

ବିଶ୍ୱେ କାହି ତୁଲ୍ୟ ବ୍ୟତୀତ ନନ୍ଦନ ।

ତାପିତ ପରାଣେ ଗ୍ରୀଷ୍ମ ଆଗମନେ

ସୌର କରଜାଳେ ଜଳି ଅନୁକ୍ଷଣେ ।

ଦରିଦ୍ର ଜୀବନ ପରାୟ ହତଶ୍ରୀ

ମଳିନ ଦିଶଇ ତୋ ରମ୍ୟ ବନଶ୍ରୀ ।

ପର୍ଣ୍ଣହୀନ ତୋର ଏକାଳ ବିଟପି

ଦିଶେ ଯେହ୍ନେ ବୟଃଗତରେ ବିଟପୀ ।

ଏକାଳେ ତୋ ଅଙ୍ଗେ ଦାବାନଳ ଝାସ

କାଳାନଳ ପରି ଜନ୍ମାଏ ସଂତ୍ରାସ ।

ତୋ କ୍ରୋଡ଼ ନିବାସୀ ଜୀବଜନ୍ତୁଚୟ

ଦାବାନଳ ତାଙ୍କ ଜାତ କରେ ଭୟ ।

ହୋଇଲେ ହେଁ ଜାତ ଜୀବନ ସଂଶୟ

ଛାଡ଼ି ତ ନୁହଁଇ ଜନମ ଆଶ୍ରୟ ।

ଏଣୁ ତୋ ଆଶ୍ରୟୀଗଣେ ଭୟ ପାଇ

ବୁଲନ୍ତି ଚୌଦିଗେ ବାଇ ପରି ଧାଇଁ ।

ଅନଳ କ୍ରୀଡ଼ଇ ଘଞ୍ଚ ବଂଶ ବଣେ

ସଶବ୍ଦେ ଫୁଟେ କି ଶତବାଣ ଗଣେ ।

ଅନିଳ ସାହାଯ୍ୟ କରଇ ଅନଳେ

ବୃକ୍ଷରାଜି ଧ୍ୱଂସୀ ହୁତାଶନ ଚଳେ ।

କୋଟରୁ କୋଟରେ ପଶି ଅକସ୍ମାତେ

ନାଶ କରେ କେତେ ପ୍ରାଣୀ ପ୍ରାଣାଘାତେ ।

ଶୁଷ୍କତରୁବର ବେଷ୍ଟିତ ଲତିକା

ସଂଗଗୁଣ ଯୋଗୁ ଅନଳର ଶିଖା ।

ଆହାର ହୁଅଇ, ସଂସାରେ ଯେପରି

ନୀଚଲୋକ ସଙ୍ଗ ଯୋଗୁ ସାଧୁ ମରି ।

ପ୍ରଣୟ ବନ୍ଧନ ନପାରିଣ ତେଜି

ପାରାବତ ପରିବାର ଭାଗ୍ୟ ହେଜି ।

ଅନଳେ ପରାଣ କରି ବିସର୍ଜନ

ସ୍ଥାପନ୍ତି ଜ୍ୱଳନ୍ତ ପ୍ରେମ ନିଦର୍ଶନ ।

ତୃଷାର୍ତ୍ତ ହୋଇଣ କେବେ ବା ଶାର୍ଦ୍ଦୁଳ

ଚଞ୍ଚଳ ଗମନ ତୋର ଝରକୂଳ ।

କାଳରେ ଆଗରେ ଦେଖି ବି ଶୀକାର

ବୈରତା ବରଜେ, ବହେ ପ୍ରୀତିଭାର ।

ଲେଲିହାନ ଜିହ୍ୱା ବିସ୍ତାରୀ ଅନଳ

କରେ ଆଦିବାସୀ କୁଟୀର କବଳ ।

ମାୟା ସଂସାରର କପଟ ପଣରୁ

ରହେ ଯେ ସତତ ଜୁହାରି ଦୂରରୁ ।

ଜୀବନେ ବିଶ୍ୱାସ ଥରେ କରେ ଯାକୁ

ପ୍ରାଣ ଗଲେ ସୁଦ୍ଧା ନ ଛାଡ଼େ ତାହାକୁ ।

ଏପରି ସରଳ ମାନବ ତୋହର

କାଳ କବଳରେ ପଡ଼େ ନିରନ୍ତର ।

ହିଂସ୍ର ସର୍ପ ବ୍ୟାଘ୍ର ଦାବାନଳ ଭୟ

ମେଲେରିଆ ଆଦି ଯେ ରୋଗ ନିଚୟ ।

ଋତୁକ୍ରମେ ଆସି ଦେଖାଏ ପ୍ରତାପ

ଋଜୁ ପ୍ରାଣେ ତାର ବଢ଼ାଇ ସଂତାପ ।

ସନ୍ଧ୍ୟା ଯବନିକା ଯେବେ ଆସେ ନଇଁ

ଅଭିନବ ବେଶ ତୋହର ଦିଶଇ ।

ସୌଧମାଳା ପରେ ଦୀପାବଳି ମାଳ

ଅବା ନିଶା ନଭେ ତାରକାର ହାର ।

ଦାବାନଳ ଜ୍ୟୋତି ରାତ୍ରୀ ଅନ୍ଧକାରେ

ସ୍ୱର୍ଣ୍ଣହାର କିବା ସେ ତୁମ୍ଭ ଗଳାରେ ।

ଜୀମୂତ ଅଙ୍କରେ ସ୍ଥିର କି ବିଜୁଳୀ

ଚିତ୍ରି ନ ପାରିବ ଚିତ୍ରକର ତୁଳୀ ।

ଦୂରୁ କେହି ମାତା ସନ୍ତାନେ ଦେଖାଇ

କ୍ରନ୍ଦନୁ ବିରତ କରାଏ ବୁଝାଇ ।

ପ୍ରକୃତି ରାଣୀର ମସ୍ତକ ମଣ୍ଡିତ

ମଣ୍ଡି ଖଣ୍ଡ ରାଶି କିବା ଝଲସିତ ।

ସମ୍ପଦ ବିପଦ ସବୁ କଥା ଭୁଲି

ସନ୍ଧ୍ୟା ଆଗମନେ ଝର କୂଳେ ବୁଲି ।

ମାନବ ମାନବେତର ପ୍ରାଣୀମାନ

ତୋ ଶୀତଳ ଝରେ କରିଥାନ୍ତି ସ୍ନାନ ।

ଆଦିବାସୀ କେହି ସାନ୍ତାଳ ଜୁଆଙ୍ଗ

ବାମାଏ ମୃଦ୍‍ଘଟେ ମଣ୍ଡିତା ବାମାଙ୍ଗ ।

ବନାଭିଳାଷିଣୀ ବନଜାକ୍ଷି ଗଣ

ବନପଥେ ଧୀରେ କରନ୍ତି ଗମନ ।

କଣ୍ଟକିତ ଗୁଳ୍ମ ଚେଳାଞ୍ଚଳ ଧରି

ଖଣ୍ଟ ଲୋକ ପରି ଗୁଣକୁ ଆଚରି ।

କହନ୍ତି ତୃଷାର୍ତ୍ତ ତୃଷା ମେଣ୍ଟା ବାରେ

ତୁଷ୍ମୀଭାଷା ତାର ଅବୋଧ୍ୟ ସେ କାଳେ ।

ଅବା ମାତାଞ୍ଚଳ ଧରି କେହୁ ବାଳ

ଅଝଟପଣରେ କରୁଅଛି ଆଳ ।

ସଖୀ ସଙ୍ଗେ ରଙ୍ଗେ ଆଚରି କ୍ରୀଡ଼ାକୁ

ଭୁଲି ଗିରିପଥ ଭ୍ରମଣ ପୀଡ଼ାକୁ ।

ସମୀପ ହୋଇଲେ ସ୍ୱଚ୍ଛ ନୀର ଝର

ପ୍ରତିବିମ୍ୱ ମାନ ଦେଖିଣ ନିଜର ।

ବସନ ପାଲଟି ଝରନୀର ଗର୍ଭେ

ଉଲ୍ଲାସେ ଶରୀର ଝାସନ୍ତି ସଗର୍ବେ ।

ବିକାର ବରଜି ବରଜ ଲଳନା

ପରାୟ କ୍ରୀଡ଼ନ୍ତି ନକରି ଭାବନା ।

ନିରିଭୟେ ସ୍ୱଚ୍ଛ ଜଳଧାରେ ପଶି

ଜଳ ଫିଙ୍ଗି ହେଉଥାନ୍ତି ହସାହସି ।

ହରିଦ୍ରା ରଞ୍ଜନ୍ତି ମୁଖ ତାମରସେ

ଶୋଭାକୁ ଦ୍ୱିଗୁଣ କରିବା ମାନସେ ।

ଝର ତଟଦେଶ ଶୂନ୍ୟ ଘଟେ ପଶି

ଅସ୍ପଷ୍ଟ ଗୁଞ୍ଜନେ ମରୁତ ବିଳସି ।

ଶ୍ରବଣେ ଶରୀରେ ଜନ୍ମାଏ ରୋମାଞ୍ଚ

ବାହ୍ୟକର୍ମେ ଜଣାଯାଏ ମନ ପାଞ୍ଚ ।

ଘଟ ପୂର୍ଣ୍ଣ କରି ଘନ ଯଉବନୀ

ବକ୍ଷୋଜେ ଯାହାର ନଥାଏ ଓଡ଼ଣୀ ।

ଶ୍ରୀହରି ଶଙ୍କର ଦେଉଳକୁ ଆସି

ପତିପୁତ୍ରଙ୍କର ମଙ୍ଗଳ ମନାସି ।

ଯେଝା କୁଟୀରକୁ କରନ୍ତି ଗମନ

ଅନ୍ୟତ୍ର ଅଦୃଶ୍ୟ ଏହି ଶୋଭାବନ ।

ଅକର୍ମରେ କର୍ମ ଦାୟକ ଶଙ୍କର

ବଢ଼ାଇ ଥାଆନ୍ତି ବରାଭୟ କର ।

ଶ୍ରୀରାମଙ୍କ ଶୁଭ ଆଶୀର୍ବାଦ ପାଇ

ହନୁମାନ ବଂଶ ଅଛନ୍ତି ଏଠାଇଁ ।

ବର୍ଷ ବାରମାସ ପ୍ରଚୂର ଆହାର

ପାଇ କରୁଥାନ୍ତି ସ୍ୱଚ୍ଛନ୍ଦେ ବିହାର ।

ଶଙ୍କରଙ୍କ ପଦେ ଜଣାଇ ପ୍ରଣତି

ସନ୍ଧ୍ୟାଗମେ ବୃକ୍ଷଡାଳେ ବିଶ୍ରମନ୍ତି ।

ଏକାଳେ ମନ୍ଦିର ଶଙ୍ଖ ଘଣ୍ଟା ସ୍ୱନ

ଧାର୍ମିକ ପରାଣେ ଜଗାଏ ସ୍ପନ୍ଦନ ।

ପାଷାଣ୍ଡ ପରାଣେ ସୁଦ୍ଧା ଏହି ସ୍ୱନ

କରିଥାଏ ଭାବାନ୍ତର ଆନୟନ ।

ମଙ୍ଗଳ ଆଳତୀ ଦେଖିକେ ଆରତୀ

ସାଶ୍ରୁ ଲୋଚ଼ନରେ ଢ଼ାଳଇ ପ୍ରଣତି ।

ତୋର ପାଦ ଦେଶେ ଝର ଦୁଇକୂଳେ

ହସଇ ପ୍ରକୃତି ନାନାବିଧ ଫୁଲେ ।

ଗ୍ରୀଷ୍ମ ଝଞ୍ଜାନିଳ ନାଗେଶ୍ୱର ବାସ

ବହିଆଣି ପ୍ରାଣେ ଜଗାଏ ଉଲ୍ଲାସ ।

ସଙ୍ଗେ ବାଦସାଧି ମଲ୍ଲିକା ଫୁଟଇ

ପବନରେ ତାର ବାସ ଚହଟଇ ।

ପର୍ଣ୍ଣହୀନ ପୁଷ୍ପେ ଭରା କୃଷ୍ଣଚୂଡ଼ା

ସଗର୍ବେ ଦୋଳାଏ ତା ରଙ୍ଗିନ ଚୂଡ଼ା ।

ପକ୍ୱ ଦୃଢ଼କୃଷ୍ଣ ବର୍ଣ୍ଣ ଫଳରାଜି

ଲୌହ ଖଡ୍ଗ ପରି ଥାଆନ୍ତି ବିରାଜି ।

ପତ୍ର ଗହଳରେ ସୁବର୍ଣ୍ଣ ଚମ୍ପକ

ଲୁଚିଲୁଚି ଫୁଟି ବିତରେ ମହକ ।

ଲୁଚିଥିଲେ ସୁଦ୍ଧା ଅନୁସରି ବାସ

ଗ୍ରାହକ ସହଜେ ପହଞ୍ଚଇ ପାଶ ।

ସୁବର୍ଣ୍ଣ ଚଷକ ଆକୃତିକୁ ଧରି

ସ୍ୱର୍ଣ୍ଣଚମ୍ପା ସଙ୍ଗେ ପ୍ରତିଯୋଗୀ ପରି ।

ମନ୍ଦିର ପ୍ରାଙ୍ଗଣେ ଫୁଟ କନିଅର

ସ୍ୱର୍ଣ୍ଣ ବର୍ଣ୍ଣ ବିଭା ଅତି ମନୋହର ।

ଚମ୍ପାଠାରୁ ଉଣା ମହକ ଗୁଣରେ

ନ ଲୋଡ଼ନ୍ତି ଲୋକେ ସମାନ ଆଦରେ ।

ସୁପକ୍ୱ ରସାଳ, ଲିଚୁ, ଉଦୁମ୍ୱର

ଗୋଲାପ ଜାମୁର, ପନସାଦି ଫଳ ।

କମଳା, କମଳା ଗନ୍ତାଘର ପୁରି

ଉଦ୍ୟାନ ପାଦପେ ରହିଥାନ୍ତି ଝୁଲି ।

ବିନା ମୂଲ୍ୟେ ଲୋକେ ନେଇଥିଲେ ସୁଦ୍ଧା

ତଥାପି ଅନେକ ଲୋଟଇ ବସୁଧା ।

ତୋର ପାଦ ଦେଶ ଉଦ୍ୟାନ ପ୍ରଦେଶେ

ବନ୍ଧୁ ମେଳେ ଆସି ଗ୍ରୀଷ୍ମ ଅବକାଶେ ।

ପ୍ରମୋଦେ ପ୍ରମୋଦ ବାଟିକାରେ ବୁଲି

ଗ୍ରୀଷ୍ମ କଷ୍ଟ ଲୋକେ ଯାଇଥାନ୍ତି ଭୁଲି ।

ପଡ଼ି ଯଦି କେହି ଜଞ୍ଜାଳ ଜାଲରେ

ଘାରି ହେଉଥାଏ ବିଷୟା ବିଷରେ ।

ଦୈବକ୍ରମେ ଆସିଗଲେ ତୋ ନିକଟେ

ତୋ ସାନିଧ୍ୟ ଲଭେ ଦୁଃଖ ତାର କଟେ ।

ତା ଘର୍ମାକ୍ତ କଳେବରେ ପ୍ରଭଞ୍ଜନ

ଶୀତଳ ସୁବା-ସମୟ ପ୍ରଲେପନ ।

ଲେପନେ ଘୁଞ୍ଚାଏ ମନ ଅବସାଦ

କ୍ଷଣେ ସବୁ ଭୁଲି ଲଭଇ ଆହ୍ଲାଦ ।

ତୃଷାର୍ତ୍ତ ମୁଖରେ ତୋ ଶୀତଳ ଝର-

ନୀର ଜନମାଏ ସ୍ୱାଦ ଅମୃତର ।

ତୋ ସ୍ୱାଦିଷ୍ଟ ଫଳ ମୁଖେ ଯେବେଥରେ

ଲାଗିଛି କି ଭୁଲିହୁଏ ଜୀବନରେ ।

ଉପଯୁକ୍ତ ସ୍ଥାନ କରି ବିବେଚନା

ଔଷଧ ବାଟିକା ହୋଇଛି ରଚନା ।

ସଦା ନୀର ଯେଣୁ ତୋର ବକ୍ଷ ଝର

ବଞ୍ଚାଇ ରଖିଛି ପାଦପ ସକଳ ।

ସେଇ ଝର ଜଳେ ସଦା ହୋଇ ସିକ୍ତ

ଔଷଧୀୟ ଗୁଣ ହୁଏ ଦ୍ୱିଗୁଣିତ ।

ରାଜ୍ୟ ଗ୍ରୀଷ୍ମ ବାସସ୍ଥଳଙ୍କ ଅନନ୍ୟ

ତୋତେ ପାଇ ରାଜ୍ୟ ହୋଇଅଛି ଧନ୍ୟ ।

ଜଳୁଥାଇ ଯେବେ ସମଗ୍ର ଉତ୍କଳ

ସୌର କର ଜାଳେ ଯେସନେ ଅନଳ ।

ତୋ ହିମ ଶୀତଳ କ୍ରୋଡ଼ ଲାଭ ଆଶେ

ସନ୍ତାପିତ ପ୍ରାଣ ଲୋଭେ ଧାଇଁଆସେ ।

ନିବାସ ଯେ ସ୍ଥଳେ ଗଙ୍ଗା ଗଙ୍ଗାଧର

ସୂର୍ଯ୍ୟାଲୋକ କାହୁଁ ହୋଇବ ପ୍ରଖର ।

ତେଣୁ ବଲାଙ୍ଗିର ରାଜ ପରିବାର

ଗଢ଼ିଥିଲେ ଏଥି ମନୋଜ୍ଞ ବିହାର ।

ଗ୍ରୀଷ୍ମ ଶେଷେ ଯେବେ ବର୍ଷାଋତୁ ଆସେ

ଅଭିନବ ତୋର ବେଶ ପରକାଶେ ।

ତୋ ମଳିନ ମୁଖ ଦିଶଇ ଉଜ୍ୱଳ

ନବରାଗ ଜାଗେ ତୋର ବକ୍ଷସ୍ଥଳ ।

ଭୀମକାନ୍ତ ଶାନ୍ତ ରୂପ ତୋ ଏମନ୍ତ

ରଜତ ବରନା ଚପଳା ଯେମନ୍ତ ।

ଧରିଥିବା ନବ ଜୀମୂତ ପରାୟ

ଜଳଧାରା ରାଜି ଦିଶେ ତୋର କାୟ ।

ନବୀନ ନୀରଦ ବିଳସେ ଶିଖରେ

ଭାବାନ୍ତର ଜାତ କରାଇ ଅନ୍ତରେ ।

ସନସନ ଘନ ଢାଳି ଯାଏ ବାରି

ପତର ପଥର କିଛିହିଁ ନ ବାରି ।

ଉଚ୍ଚେବର୍ହ ତୋଳି ବିମୁଗ୍ଧ ବରହୀ

ମେଘମାଳ ଦେଖି ସାଗ୍ରହେ ନାଚଇ ।

ଅତିଥି ସତ୍କାର ଆଚାରକୁ ଶିଖି

ବର୍ଷାରେ ସ୍ୱାଗତ କରଇ କି ଶିଖୀ ।

କେକାରବ କରି ମନର ଆନନ୍ଦେ

ପ୍ରଣତି ଢାଳଇ ବାରିବାହ ପଦେ ।

ଗୁଳ୍ମ ପ୍ରକାଶଇ ପାଇ ଘନ ବାରି

ଗିରି ପଥ କ୍ରମେ ହୁଏ ନାହିଁ ବାରି ।

ଦୀର୍ଘ ଗ୍ରୀଷ୍ମତାପ ତାପିତ ପରାଣେ

ବର୍ଷା ଆଗମନ ଶୀତଳତା ଆଣେ ।

ରୁକ୍ଷଣ ବରଜି ପ୍ରଫୁଲ୍ଲିତ ମନେ

କଦମ୍ୱ ବିକଶେ ମେଘ ଗରଜନେ ।

ପ୍ରକୃତି ରାଣୀର ପ୍ରକୃତ ଅର୍ଚ୍ଚନା

କରିବା ନିମନ୍ତେ ବିରଞ୍ଚି ସର୍ଜନା ।

ମାଳତୀ ଧବଳ ଫୁଟେ ମାଳ ମାଳ

ରଙ୍ଗଣୀ ରକ୍ତିମା ତହିଁ ଦିଏ ତାଳ ।

କଦମ୍ୱ କୋରକ ହରଷିତ ମନେ

ଆରତି ଜଣାଏ ବର୍ଷା ଆଗମନେ ।

ରାଜା ମସ୍ତକର କିରିଟୀ ପରାଏ

ବଂଶ ଗଜା ସ୍ଥାନେ ସ୍ଥାନେ ଶୋଭାପାଏ ।

ତୋର ବକ୍ଷସ୍ଥଳ କରି ଧବଳିତ

ଛତ୍ରିକା ଏକାଳେ ହୁଅଇ ପୁଷ୍ପିତ ।

ନବବର୍ଣ୍ଣ ନବ କିଶଳୟ ଭରି

ପାଦପେ ଦିଶନ୍ତି ନୀଳ ସିନ୍ଧୁପରି ।

ଶ୍ରୀହରି ଶଙ୍କର କଣ୍ଠର ନୀଳିମା

ଜିଣି ତୋ ନୀଳିମା ବିକଶେ ଗାରିମା ।

ଦୂରରୁ ପ୍ରକାରେ ପାଶରୁ ପ୍ରକାରେ

ରୂପ ଚମକଇ ବିବିଧ ଶୋଭାରେ ।

ଦୂର ଶୋଭା ତୋର ନୀଳ ନୀଳାମ୍ୱର

ପାଶରେ ନାନାଦି ବର୍ଣ୍ଣରେ ଭାସ୍ୱର ।

ଝରଜଳ ପ୍ରବାହରେ ଅଭ୍ରରାଜି

ସମ୍ମିଶ୍ରିତ ହୋଇ ଉଠନ୍ତି ବିରାଜି ।

ମନ୍ଦର ଆରୋହୀ ଐରାବତ ପରି

ଅଭ୍ରଂକଶ ମେଘ ତୋ ଚୂଳେ ବିହରି ।

ଜାତକରେ ଯେଉଁ ଭାବ ଗମ୍ଭୀରତା

ପ୍ରତୀତ କରାଏ ଭଗବତ ସତ୍ତା ।

ଝଙ୍କାରି ଝଙ୍କାର ଶୁଣାଯାଏ କାହିଁ

କାଷ୍ଠହଣା କାଷ୍ଠହଣା ଶୁଭୁଥାଇ ।

ସଙ୍ଗୀତଜ୍ଞ ପିକ ବାବଦୁକ କାକ

ନର୍ତ୍ତକ ମୟୂର ସୁଭାଟ ଡାହୁକ ।

ସଙ୍ଗେ ବୈତାଳିକ କୁମ୍ଭାଟୁଆ, ନଗେ

ସ୍ୱାଗତ ଗୀତିକା ଗାଆନ୍ତି ବିହଙ୍ଗେ ।

ପଶୁରାଜ ବ୍ୟାଘ୍ର ବନରାଜ ଦେଶେ

ତୋ ସୁରକ୍ଷା ରଚେ ରହିଏ ପ୍ରଦେଶେ ।

ମୃଗ ଯୁଥ ଯୁଥ ଆନନ୍ଦେ ବିଚରି

ବନଶ୍ରୀ ବଢ଼ାନ୍ତି ରୂପଶ୍ରୀ ବିତରି ।

ସର୍ବେ ଅକ୍ଲେଶରେ ଲଭନ୍ତି ଆହାର

ଯେଣୁ ପରିପୂର୍ଣ୍ଣ ସଦା ତୋ ଭଣ୍ଡାର ।

ନାନା କିସମର ପଶୁପକ୍ଷୀ ଆଦି

ବିଚିତ୍ର ବେଶରେ ରଖିଛୁ ସଂପାଦି ।

ଗହ୍ୱରୁ ଗହ୍ୱରେ କରି ଅତିକ୍ରମ

ବଢ଼ାନ୍ତି ତୋ ଶିରି ଅତି ମନୋରମ ।

ଅଭ୍ୟର୍ଥନା ରଚି ନାନା ଉପଚାରେ

ସ୍ୱାଗତ କରୁକି ନୂତନ ଆସାରେ ।

କ୍ରମେ କ୍ରମେ ଘନ ଘୋଟେ ଆସି ବନେ

ବରଷଇ ବାରି ସନ ସନ ସ୍ୱନେ ।

ପାଦପ ପତରେ ତୋ ଦେହ ପଥରେ

ବୃଷ୍ଟିପାତ ଜାତ ଗୀତ ମୁଗ୍ଧ କରେ ।

ଗୀତ ସଙ୍ଗେ ଅନୁଭୂତ ହୁଏ ଶୀତ

ଅଟେ କି ସତେ ସେ ବାରିଦର ମିତ ।

ଦିବସେ ତୋ କୋଳେ ବିରାଜେ ଅନ୍ଧାର

ଭ୍ରମେ ଭ୍ରମେ ଚକ୍ରବାକ ଚକ୍ରାକାର ।

ଚାତକ ଜୀବନ ହୁଅଇ ସନ୍ତୁଷ୍ଟ

ପାଇ ବୃଷ୍ଟିଜଳ ଅଙ୍ଗ କରି ପୁଷ୍ଟ ।

ପ୍ରାଣ ପ୍ରଣୟିନୀ ସଙ୍ଗେ ଲାଭ ଆଶା

ପ୍ରେମିକ ଅନ୍ତରେ ଜାଗଇ ସହସା ।

ବୃଷ୍ଟିପାତ ସଙ୍ଗେ ତାଳଦେଇ ଧୀର

ଉପଳୁଁ ଉପଳେ ନାଚେ ଝର ନୀର ।

ତହିଁ ବାଦ ସାଧି ନାଚଇ ମୟୂର

ନର୍ତ୍ତକ ମୁଁ ଘୋଷେ ତାର କେକାସୁର ।

ଆବିଳତା ଧରେ ସ୍ୱଚ୍ଛଝର ଧାର

କୁଟୀଳ ଲୋକର ମନ ପରକାର ।

ବନ୍ଧୁର ଶଯ୍ୟାରେ ଗୁରୁ ଗରଜନ

କରି କରେ ସମତଳେ ଆଗମନ ।

ଲଙ୍ଘି ଦୁଇ କୂଳ ବିଟପୀ ପରାଏ

କୂଳର ବିଟପି ମାନଙ୍କୁ ଭସାଏ ।

ବଲାଙ୍ଗିରି ଅଧିପତିଙ୍କ ପ୍ରମୋଦ

ଉଦ୍ୟାନ ବୃକ୍ଷର ବଢ଼ାଏ ସେ ମୋଦ ।

ଲଙ୍କା ଆମ୍ୱ, ଆମ୍ୱ, ଡିମ୍ୱିରି ପିଜୁଳୀ

ପନସ ଗୋଲାପଜାମୁର ଖଜୁରୀ ।

ଅମୃତଭଠା ଯା ଅମୃତର ସ୍ୱାଦ

କଦଳୀ ଶର୍କରା ସଙ୍ଗେ ରଚେ ବାଦ ।

ନାଗେଶ୍ୱର ଚମ୍ପା, ମନ୍ଦାର ତରାଟ

ଟଗର, ଗୋଲାପ ଫୁଲର ସମ୍ରାଟ ।

ହେନା, ମୁଚୁକୁନ୍ଦ, କୁନ୍ଦ, ଯୁଇ, ଯାଇ

ହରଷେ ମୁକୁଳେ ନବରସ ପାଇ ।

ଉଚ୍ଚ ନୀଚ କ୍ଷେତ୍ରେ ମାଳେ ଭ୍ରମି ଭ୍ରମି

ସାରା ବଲାଙ୍ଗିର ଯାଏ ଅତିକ୍ରମି ।

ବାଟରେ ପାଇଣ ଯୋଗ୍ୟ ସହଚର

ନିର୍ବିକାରେ ଜଳ ଢାଳେ ତା ଅଙ୍ଗର ।

ଶ୍ରୀହରି ଶଙ୍କର ମସ୍ତକ ଚନ୍ଦନ

ପୁଷ୍ପସୁବାସରେ ଭରି ଅପଘନ ।

ଯେଉଁ ଯେଉଁ ପଥେ ଭ୍ରମି ଭ୍ରମି ଯାଏ

ପତିତ ଜନରେ ପାବନ କରାଏ ।

ସମ୍ମିଶ୍ରିତ ହେଲେ ମଧ୍ୟ ଶୁକତେଲ

ନ ମିଶଇ ଯଥା ପାଣି ସଙ୍ଗେ ତେଲ ।

ଏକ ଧାର ହୋଇ ଗଙ୍ଗା ଓ ଯମୁନା

ବହୁ ଥିବାର ଏ ଦେଖାଏ ନମୁନା ।

କବି ନେତ୍ରେ ଯଦି ଏ ଶିରୀ ପଡ଼ନ୍ତା

ବର୍ଣ୍ଣନେ ସରଗ ସୁଷମା ବଳନ୍ତା ।

ଅନନ୍ତ ସେ କାଳଚକ୍ର ଗଲେ ଘୁରି

ବିରାଜେ ତୋ କୋଳେ ଶରତ ମାଧୁରୀ ।

ସର୍ବ କରୁଣିକ କାଶୀ ବାସୀଙ୍କର

ସେବା କରିବାକୁ ଶୁଭ୍ର ବେଶଧର ।

ଧନ୍ୟ ସେ କରଣି ଯେଉଁ ତୁଳିକାରେ

ଏ ବିଶ୍ୱ ମୋହନ ଛବି ଆଙ୍କିପାରେ ।

ଆବିଳତା ଶୂନ୍ୟ ହୁଏ ଝର ଧାର

ପାପ ଶୂନ୍ୟ ଯେହ୍ନେ ଧର୍ମର ଦୁଆର ।

ଶରତ ଆକାଶ ହୁଅଇ ନିର୍ମଳ

ପ୍ରତିଛବି ଧରେ ଝର ସ୍ୱଚ୍ଛଜଳ ।

ଉଭୟ ସୌନ୍ଦର୍ଯ୍ୟ ହୋଇ ପ୍ରତିହତ

ଦ୍ୱିଧା ଆଣେ ମନେ ମିଛ କି ଏ ସତ ।

ଶୁଭ୍ରଶେଫାଳିକା ହୁଏ ଫୁଲେମଣ୍ଡି

କେଦାରେ ଫୁଟଇ ଶୁଭ୍ର କାଶତଣ୍ଡି ।

ପ୍ରପାତେ ପତିତ ଦିବାକର କର

ଜାତକରେ ଶକ୍ରଚାପ ମନୋହର ।

ଦୂରୁ ଦିଶେ ତୋର ଏ ଶୋଭା ସଂପଦ

ନୀଳ କାଚ ବାଡ଼େ ଯେସନେ ପାରଦ ।

ଅବା ନୀଳକଣ୍ଠ କଣ୍ଠ ଦେଶ ବେଢ଼ି

ଗଙ୍ଗାଦେବୀ ବାହୁ ରହିଅଛି ଘେରି ।

ସାନ୍ଧ୍ର ଗୁଳ୍ମ ପତ୍ରେ ଲୁଚକାଳି ଖେଳି

ଉର୍ଣ୍ଣନାଭ କରୁଥାଇ କେତେ କେଳି ।

ସନ୍ଧ୍ୟା ଆଗମନେ ତୋର ବକ୍ଷସ୍ଥଳ

ତାରକିତ କରେ ଚନ୍ଦ୍ରମା ମଣ୍ଡଳ ।

ବିଧୁଶୀଳ ଶିଳା ହୁଅଇ ଦ୍ରବିତ

ଯା ଦେଖି ନୟନ ହୁଅଇ ଚକିତ ।

ଘଞ୍ଚ ପତ୍ର ଫାଙ୍କ ଦେଇ ଚନ୍ଦ୍ରକର

ସ୍ୱର୍ଗ ସୁଧା ଧାରା ଢାଳେ ତୋ ବକ୍ଷର ।

ରତନ ପ୍ରସ୍ତରେ ଚନ୍ଦ୍ରକର ପଡ଼ି

ଗୁମ୍ଫା ଅନ୍ଧକାର ଦିଅଇ ଘଉଡ଼ି ।

ଧଳାଦିଶେ ଠାଏ କଳା ଦିଶେ ଠାଏ

ବାଜିକର ଲୀଳା ପରାଏ ଭ୍ରମାଏ ।

ଅନ୍ଧାର ଗହ୍ୱରେ ବସି ଏକମନେ

ଯୋଗିଏ ରହନ୍ତି ସମାଧି ଆସନେ ।

କୋଳାହଳ ତେଜି ପଶୁପକ୍ଷୀ ଗଣ

ଶ୍ରୀହରି ଶଙ୍କର ଚରଣ ସ୍ମରଣ ।

କରି ବାସ ସ୍ଥାନେ କରନ୍ତି ଗମନ

ନିଦ୍ରା ଦେବୀକୋଳ କରନ୍ତି ମଣ୍ଡନ ।

କ୍ରମେ ଆସି ହେଲେ ଗଭୀର ନିଶିଥ

ଗିରିଷଶେ ସୁଦ୍ଧା ପ୍ରତେଏଠି ଶୀତ ।

ସହଜେ ଶରତ ଚନ୍ଦ୍ରମା ଶୀତଳ

ତାପ ନାଶି ଥଣ୍ଡା କରଇ ଉପଳ ।

ଖଦ୍ୟୋତ ଚମକେ ହୋଇ ମାଳମାଳ

ବେଳେ ବେଳେ ଡାକ ଦିଅଇ ଶୃଗାଳ ।

ପ୍ରହର ଚଢ଼େଇ ରହି ଉଜାଗର

ଦେଉଥାଏ ଡାକ ଜଣାଇ ପ୍ରହର ।

ମଇଁଷିଆଳଟି ମଇଁଷି ଗୋଠରେ

ବଇଁଶୀଟି ନେଇ ଲଗାଏ ଓଠରେ ।

ଅସ୍ପଷ୍ଟ ହେଲେ ହେଁ ଗଭୀର ବେଦନା

ବ୍ୟଞ୍ଜକ ଅଟଇ ତାହାର ମୂର୍ଚ୍ଛନା ।

କେହି ଯଦି କେବେ ନିରେଖଇ ଥରେ

ରାତ୍ରୀର ଗଭୀର ନିସ୍ତବ୍ଧ ପ୍ରହରେ ।

ତାରକା ଖଚିତ ଅନନ୍ତ ଆକାଶ

ତଳେ ଭୀମକାନ୍ତ ତୋ ରୂପ ପ୍ରକାଶ ।

ଦ୍ୱେତା ଦ୍ୱୈତ ଭାବାବଶେ ତାର ମନ

ଅଜାଣତେ କ୍ଷଣେ ହୁଅଇ ମଗନ ।

ହୃଦ ହୁଏ ରୁନ୍ଧି ଅନନ୍ତ ଭାବନା

ପାଏ ନାହିଁ ଭାଷା କରନ୍ତା ରଚନା ।

ଶୋଭା ମାଧୁରୀରେ ଭାବନା ମାଧୁରୀ

ମିଶାଇ ଦେଖାନ୍ତା କଳ୍ପନା ଚାତୁରୀ ।

କଳନଳୀ ହସ୍ତେ ମୃଗୟୁ ସକଳେ

ମୃଗୟା ବିନୋଦେ ଭ୍ରମନ୍ତି ଜଙ୍ଗଲେ ।

ବ୍ୟାଘ୍ର ହିଂସ୍ର ବୋଲି କରନ୍ତି ଗଣନା

ବ୍ୟାଘ୍ର ଠାରୁ ହିଂସ୍ର ବ୍ୟାଧ ନୀଚମନା ।

ବ୍ୟାଘ୍ର ପ୍ରାଣୀ ମାରେ ଉଦର ପୂରଣେ

ବ୍ୟାଧ ହତ୍ୟା କରେ କେବଳ ବ୍ୟସନେ ।

ତୃଣ ଭୋଜୀ କେତେ ମୃଗ ଶୃଗୀ ଶଶା

କପୋତ ମୟୂର ଭୋଗେ ମୃତ୍ୟୁ ଦଶା ।

ଭାବନା ନଥାଏ ଏ ପ୍ରାଣ ନାଶନେ

ସେ ପାପିଷ୍ଠ ବ୍ୟାଧ ନିଷ୍ଠୁରର ମନେ ।

ଜିହ୍ନାର ଲାଳସା ମୋଚନ ଯାହାର

ସର୍ବ କର୍ମ ମଧ୍ୟେ ହୋଇଅଛି ସାର ।

ଦୟା କ୍ଷମା ହୀନ ସେ ପରାଣ ଧିକ

ନିଜର ବଡ଼ିମା ଦେଖାଏ ଅଧିକ ।

ମୋ ଲକ୍ଷ୍ୟ ଅବ୍ୟର୍ଥ, ଶିକାରୀ ପ୍ରଧାନ

ମୋ ସଙ୍ଗରେ କେହି ନୋହିବେ ସମାନ ।

ଏ ପରି ଭାବନା ମନେ ମନେ ପୋଷି

ନିରୀହକୁ ବଧି ହୁଏ ନିଜେ ତୋଷି ।

କିନ୍ତୁ କ୍ରୁର କାଳ, କୁଟୀଳ ତା ଲକ୍ଷ୍ୟ

ଭେଟିବ ଦିନେ ସେ ଆସି ଅପ୍ରତ୍ୟଷ ।

ସେ ଲକ୍ଷ୍ୟର ଭେଦ ଏଡ଼ିବାକୁ ବାରେ

ନ ଥିବ ଏ ନଳୀ, ଯାହାର ପ୍ରହାରେ ।

ଶତଶତ ଶିଶୁ ବୃଦ୍ଧ ପଶୁପକ୍ଷୀ

ବଧିଛ ଯହିଁରେ ନ ପାରିବ ରଖି ।

ତୋଷାମଦ କାରୀ ତୁମ୍ଭ ସହଚର

ଭାଗ ଯେ ବସାନ୍ତି ଶୀକାରେ ତୁମ୍ଭର ।

ତୁମ୍ଭ ଲକ୍ଷ୍ୟ ବ୍ୟର୍ଥ ହେଲେ କଦାଚିତେ

ଉପହାସ କରିଥାଏ ଆନନ୍ଦିତେ ।

କେହି ହେଲେ ସେହି କାଳନଳୀ ଲକ୍ଷ୍ୟ

ବିକ୍ରମେ କରି ନ ପାରିବେ ଅଲକ୍ଷ୍ୟ ।

ଆଖିବୁଜି ପାଣି ପିଉଥିବା ବେଳେ

କେହି ଦେଖୁ ନାହିଁ ଭାବୁଅଛ ହେଳେ ।

ଏଡ଼ି ଚର୍ମ ଚକ୍ଷୁ ଜଗତ ଜନର

ଯେତେ ପାର କର ବଢ଼ାଇ ତୁମର ।

ଝିଣ୍ଟିକାକୁ ମାରି ବଣିରେ ପୋଷଇ

ପର ଉପକାରେ ଡିଣ୍ଡିମ ପିଟଇ ।

ମାତ୍ର ଯେ ନୟନ ରହି ଅଲକ୍ଷ୍ୟରେ

ମାନବ କରଣି ନିତି ଲକ୍ଷ୍ୟ କରେ ।

ତାକୁ ଏଡ଼ି ଯିବା ଶକତି କାହାର

ହୋଇନି ହେବନି, ଏ ସାରା ସଂସାର ।

ଥାଉ ତୁମ କାର୍ଯ୍ୟ, ଅନ୍ତର ଭାବନା

ସୁଦ୍ଧା ତାକୁ ଅବହେଳେ ଯାଏ ଜଣା ।

ପ୍ରଭାତେ ପ୍ରକୃତି ରାଣୀ ଧଳା ପାଟ

ପିନ୍ଧି ତୋ ମନ୍ଦିରେ ଫିଟାଏ କବାଟ ।

ଉଚ୍ଚ ଗିରିଶୃଙ୍ଗ ବେଢ଼ି ମେଘ ମାଳ

ପ୍ରେମ ଆଲିଙ୍ଗନେ ପୁହାନ୍ତି ସକାଳ ।

କ୍ରମେ ସୂର୍ଯ୍ୟକର ହୋଇଲେ ପ୍ରଖର

ବାଷ୍ପାକୁଳ ନେତ୍ରେ ଗମନ୍ତି ଚଞ୍ଚଳ ।

ଅନିଚ୍ଛାରେ ଗଲାବେଳେ କହିଯାନ୍ତି

ଆସିବୁ ହୋଇଲେ ଶୀକର ପାହାନ୍ତି ।

ଜନନେତ୍ର ମାତ୍ର ଯାଇଥାଏ ହୁଡ଼ି

ତେଣୁ କରି ତାକୁ କହନ୍ତି କୁହୁଡ଼ି ।

ମୁକ୍ତା ରାଶି ପରି ହିମ ବିନ୍ଦୁ ଝଳି

ସବୁଜ ପତରେ ପଡ଼ୁଥାଏ ଗଳି ।

ପ୍ରକୃତି ଦେବୀଙ୍କ ଅର୍ଚ୍ଚନା ନିମିତ୍ତ

ହିମୋଦକେ ହୁଏ ସ୍ଥଳ ପବିତ୍ରିତ ।

ଶୁଭ୍ର ଶେଫାଳିକା ପୁଷ୍ପ ଗୋଟି ଗୋଟି

ପୁଷ୍ପାଞ୍ଜଳି ସମ ପଡ଼ୁଥାଏ ଲୋଟି ।

ଶଙ୍ଖୁଆ ମଧୁପ ମଧୁପାନେ ବାଇ

ହୋଇ ଗୁଣୁ ସ୍ୱନେ ଶଙ୍ଖ ଫୁଙ୍କୁଥାଇ ।

କୁମ୍ଭାଟୁଆ ଭାଟ କରେ ସ୍ତବ ପାଠ

ନର୍ତ୍ତକ ମୟୂର କରୁଥାଏ ନାଟ ।

ମନ୍ତ୍ର ପାଠ କରି କରି ଦ୍ୱିଜ ଦଳ

ମହାନନ୍ଦେ କରୁଥାନ୍ତି କୋଳାହଳ ।

କାକ ଶୁଭବାର୍ତ୍ତା ପ୍ରଚାରେ କାନନେ

ଭୟ ଜାତ ହୁଏ ନିଶାଚରୀ ମନେ ।

ଅନ୍ଧାର ଗୁମ୍ଫାରେ ଚଞ୍ଚଳ ଲୁଚଇ

ଯା ପ୍ରକୃତି ଚୋର ଦଣ୍ଡ ସେ ଲଭଇ ।

ନାନା ଉପଚାରେ ପ୍ରକୃତି ଅର୍ଚ୍ଚନ

ସାରି ଯେଝା ପଥେ କରନ୍ତି ଗମନ ।

ଶାରଦୀୟ ପୂଜା ଗୁରୁ ବାଦ୍ୟ ଧ୍ୱନି

ସଙ୍ଗେ ଧୂପ ଗନ୍ଧ ବିସ୍ତରେ ଅବନୀ ।

ଜଗତ ଜନନୀ ଆଦ୍ୟାଶକ୍ତିଙ୍କର

ଆବାହନୀ ବାଜି ଉଠେ ନିରନ୍ତର ।

ତୋ ଗିରି ଗୁମ୍ଫାରେ ସେହି ବାଦ୍ୟ ଧ୍ୱନି

ବାଜି ସୃଷ୍ଟି କରୁଥାଇ ପ୍ରତିଧ୍ୱନି ।

ଅନୁଢ଼ା କିଶୋରୀ ଉପବାସ କରି

ଭାଇଜିଉନ୍ତିଆ ବ୍ରତକୁ ଆଚରି ।

ରସକେଳି ଡାଲ ଖାଇ ଗୀତ ଗାଇ

ବାଦ୍ୟକାର ସଙ୍ଗେ ସଖୀ ମେଳେ ଯାଇ ।

ଦିନାନ୍ତେ ସ୍ନାହାନ ସାରି ତୋର ଝରେ

ଦେବୀ ମାହେଶ୍ୱରୀ ପୂଜି ଭକ୍ତି ଭରେ ।

ହେ ସିଂହ ବାହନୀ ମହିଷ ମର୍ଦ୍ଦିନୀ

କ୍ଷମ ସର୍ବ ଦୋଷ ମଙ୍ଗଳ ଦାୟିନୀ ।

ମାଆ ଗୋ ଭାବାନୀ ତୋହର କରୁଣା

ଆମ ପାଇଁ କେବେ ନ କରିବୁ ଉଣା ।

ମଙ୍ଗଳ ମନାସୀ ଭାଇମାନଙ୍କର

ଦେବୀଙ୍କ ପୟରେ ରହି ଉଜାଗର ।

ପରଦିନ ପ୍ରଭାତରେ ସ୍ନାନପରେ

ମାହେଶ୍ୱରୀ ପୂଜି ବାହୁଡ଼ନ୍ତି ଘରେ ।

କ୍ରମେ ଶରତର ହେଲେ ଅବସାନ

ହେମନ୍ତ ପାତଇ ତାହାର ଆସ୍ଥାନ ।

ଶିଶିର ପାତରେ ପୂର୍ଣ୍ଣ ହୁଏ ଧରା

ପ୍ରଖର ହେଲେ ହେଁ ନ ବାଧଇ ଖରା ।

ଶୀତଳ ଶୀକର ପରଶି ସମୀର

ସ୍ପର୍ଶେ ରୋମାଞ୍ଚିତ କରଇ ଶରୀର ।

ମଣ୍ଡି କଳେବର ବିବିଧ ଫୁଲରେ

ପୂଜା ଉପହାର ସୁମିଷ୍ଟ ଫୁଲରେ ।

ଶ୍ରୀ ହରିଶଙ୍କର ସେବାରେ ଜନମ

ବିତରୁ ହେ ଗିରିରାଜ ହୋଇ କ୍ଷମ ।

ଦେଉଳ ସନ୍ନିଧି ଡାଳେ କନିଅର

ପେନ୍ଥା ପେନ୍ଥା ହୋଇ ଝୁଲେ ଫୁଲ ଫଳ ।

ପୁଷ୍ପ ବାଟିକାରେ ନାଟିକାଭିନୟ

କରୁଥାନ୍ତି ଦ୍ୱିଜ କୁଳ ରଖି ଲୟ ।

ମନ ଲୋଭା ବେଶ ଯେ ଦେଖିଛି ଥରେ

ଜୀବଯିବା ଯାଏ ଥାଏ ତା ମନରେ ।

ସ୍ୱର୍ଗ ଶୋଭା ଜିଣା ତୋ ବେଶ ଗାରିମା

ଉପମା ବିହୀନ ତାହାର ମହିମା ।

ନିର୍ଝରଣୀ ସ୍ୱନ ସଙ୍ଗେ ଦେଇ ତାନ

ପ୍ରକୃତି ରାଣୀର ଶୁଣାଯାଏ ଗାନ ।

ଖାଲି କାନକୁ ଯା ପକ୍ଷୀ କୋଳାହଳ

ଢାଳେ ତା ପୀୟୁଷ ଭାବୁକ ଅନ୍ତର ।

ସୁମଧୁର ଏହି ପ୍ରକୃତିର ଗୀତ

ସମଭାବେ ସର୍ବେ ନ କରଇ ପ୍ରୀତ ।

ଅର୍ଥ ହୁଏ ଆନ ମନ ଅନୁସାରେ

ପିକସ୍ୱନ ଯଥା ବିରହୀ ସଂସାରେ ।

ବିସ୍ତୃତ କୋଳେ ତୋ ରାଜେ ନୀରବତା

ମାତ୍ର ଘେରି ରହି ଥାଏ ସରସତା ।

ଆସଇ ଦିବସ ଧୀରେ ଧୀରେ କମି

ଆନତ ସତେ କି ଶୀତ ପଦେ ନମି ।

ଗ୍ରୀଷମେ ତୋ କୋଳେ ଜଣାଯାଏ ଶୀତ

ଶୀତରେ ସହଜେ ହୁଏ ଦ୍ୱିଗୁଣିତ ।

ତୋର ଗିରିଗୁହା ଭିତରେ ଉଷ୍ମତା

ଲଭନ୍ତି ପଶୁଏ ମାତୃ ଆତ୍ମିୟତା ।

ମାତ୍ର ପକ୍ଷୀକୁଳ ହୁଅନ୍ତି ବିକଳ

ଦୂରେ ଯାନ୍ତି ଥୋକେ ହୋଇ ଦଳଦଳ ।

କଦବା ତୋ ଉଚ୍ଚ ଗିରି ଶୃଙ୍ଗ ପରେ

ତୁଷାରର ସୂକ୍ଷ୍ମ ଆସ୍ତରଣ ପଡ଼େ ।

ଦୂରୁ ଦିଶେ ଯେହ୍ନେ ରୂପାର ପର୍ବତ

ଅବାନୀଳ ପାତ୍ରେ ଘନ କି ପାରଦ ।

ରୌପ୍ୟ ମୁକୁଟକି ଶୋଭାର ବର୍ଦ୍ଧକ

ଗିରିରାଜ ନାମ କରଇ ସାର୍ଥକ ।

ବିଭାବସ୍ତୁ କର ହୋଇ ବିଚ୍ଛୁରିତ

ସପ୍ତରଙ୍ଗେ କରେ ତୋ ଶୃଙ୍ଗ ଚିତ୍ରିତ ।

ହସନ୍ତି ଏ କାଳେ ହସନ୍ତି ସକଳେ

ଶୀତବାସ ଦେହେ ଢାଙ୍କନ୍ତି ସକଳେ ।

ବରଫ ଶୀତଳ ନୀରବାହୀ ଝର

ସ୍ପର୍ଶ ଜାତଭୟ ସବୁରି ଅନ୍ତର ।

ସମଧର୍ମୀ ଚନ୍ଦ୍ରେ ପ୍ରବେଶାଧିକାର

ଥିବାରୁ କେବଳ ରଚେ ସେ ବିହାର ।

ତା କର ବଢ଼ାଇ ଝଲସାଏ ନୀର

ଦେଖାଏ ଦୃଷ୍ଟାନ୍ତ ଗଭୀର ପ୍ରୀତିର ।

ଦିବା ଅବସାନେ ଧାନବିଲୁଁ ଗୀତ

ବହି ଆସିଥାଏ ସଙ୍ଗେ ଧରି ଶୀତ ।

ଦୂର ଖଳାବାଡ଼ି ମଧ୍ୟରେ ଦିହୁଡ଼ି

ଜାଳି ଚାଷୀ ଦିଏ ଅନ୍ଧାର ଘଉଡ଼ି ।

ଘଉଡ଼ାଇ ବାକୁ ସେ ପ୍ରତାପୀ ଶୀତ

ଅଗ୍ନି ପାଶେ ବସି ଉଚ୍ଚେ ଗାଏ ଗୀତ ।

ଦୁଇମୁଠା ଭାତ ପାଇଁ ଯା ସମ୍ୱଳ

ନାହିଁ, ସେ ପାଇବେ କେଉଁଠୁ କମ୍ୱଳ ।

ଗିରିରାଜ ଋତୁରାଜ ଆଗମନ

କରେ ତୋ ବକ୍ଷରେ ଜଗାଇ ସ୍ପନ୍ଦନ ।

ନବ ପଲ୍ଲବିତ ବିଟପି ବେଷ୍ଟିତ

ଅଙ୍ଗ ଦିଶେ ତୋର ଆହାକି ଲଳିତ ।

ସ୍ତବକିତ ହୁଏ ଚୂତ ବୃକ୍ଷରାଜି

ପୁଷ୍ପିତ ମଲ୍ଲିକା ଲୋଟେ ଧରା ସାଜି ।

ଅଶୋକ ନିଆଳୀ କୁରୁଣ୍ଟକ କୁନ୍ଦ

ନାଗେଶ୍ୱର ହେନା ସଙ୍ଗେ ମୁଚୁକୁନ୍ଦ ।

ମେହେନ୍ଦି ଗୋଲାପ ବିତରି ସୁଗନ୍ଧ

ବନ୍ଦନା କରନ୍ତି ବସନ୍ତର ପଦ ।

ରୁଚିରେ ରାଜଇ ନିର୍ଗନ୍ଧ କିଂଶୁକ

ଖେଳା କରୁଥାନ୍ତି ଯହିଁ ଶାରୀଶୁକ ।

କୃଷ୍ଣ ବର୍ଣ୍ଣ ବୃତ୍ତିଧର ବକ୍ରଦଳ

ବର୍ଣ୍ଣ ବିଭା ଜିଣେ ଅରୁଣପାଟଳ ।

ଗୁଣୁ ଗୁଣୁ ସ୍ୱନ ତୋଳି ଅଳି କୁଳ

ଫୁଲେ ଫୁଲେ ଯାଇ କରନ୍ତି ଆକୁଳ ।

ମଧୁ ମକ୍ଷିକା ଏ ହୋଇ ନିରଳସ

ସଂଗ୍ରହ କରନ୍ତି ଫୁଲୁ ମହୁରସ ।

ମଧୁଚକ୍ରେ ନେଇ ରଖନ୍ତି ସାଇତି

ପର ଉପକାରେ ଲାଗିଥାନ୍ତି ନିତି ।

ଚୂତ ପତ୍ର ଗହଳରେ ଲୁଚି ବସି

ବସନ୍ତ କୋକିଳ ଗାନେ ଥାଏ ରସି ।

ତା ମଧୁର କଣ୍ଠେ ପଞ୍ଚମ ସ୍ୱରରେ

ସ୍ୱାଗତ ଗୀତିକା ମୁଗ୍ଧେ ଗାନ କରେ ।

ଡାଳୁଁ ଡାଳେ ବୁଲି ହଳଦୀବସନ୍ତ

ପ୍ରଚାରଇ ଯେହ୍ନେ ଆସିଲା ବସନ୍ତ ।

ଫୁଲ ଫଳ ଭାରେ ହୋଇ ଅବନତ

ଋତୁ ପଦେ ଚାର ହୁଅଇ ପ୍ରଣତ ।

କାୟ ସିନା କ୍ଷୁଦ୍ର ଅଟଇ ସୁମିଷ୍ଟ

ଫଳ ତୃଷାର୍ତ୍ତର ପୁରାଏ ଅଭୀଷ୍ଟ ।

ତା ମଞ୍ଜି ମଧ୍ୟରେ ଥିବା ବୀଜଦଳ

କାଜୁ ସ୍ୱାଦ ଜନମାଏ ଅବିକଳ ।

ଗିରି ପାଦ ଦେଶେ ଉଦ୍ୟାନେ ଏକାଳେ

ନାନା ଫୁଲ ଫଳ ଦୋଳେ ତରୁ ଡାଳେ ।

ବସି ଝର କୂଳେ ନୀରବେ ବିଜନେ

ଚକ୍ଷୁକର୍ଣ୍ଣ ନାସା ଅଭୀଷ୍ଟ ପୁରଣେ ।

ଏକାଧାରେ ଏଠି ଅଟଇ ସମ୍ଭବ

ବାସନ୍ତୀ ପ୍ରକୃତି ପ୍ରକୃତ ବିଭବ ।

ସୁଷମା ସୌନ୍ଦର୍ଯ୍ୟ ଆଖିର ବାସନା

ନାସା ତୃପ୍ତ ହୁଏ ଆଘ୍ରାଣି ବାସନା ।

କୁହୁତାନ ହୁଏ କର୍ଣ୍ଣ ରସାୟନ

ମୋହଗ୍ରସ୍ତ କରେ ଦେହ ସଙ୍ଗେ ମନ ।

ଏକାକୀ କାନନେ ଭ୍ରମଣ ବା କର

କ୍ରୀଡ଼ା କର ଅବା ଘେନି ସହଚର ।

ସଂସାର ନିଗଡ଼େ ଫେରି ଯିବା ପାଇଁ

କେବେ ହେଁ କାହାର ମନବଳେ ନାହିଁ ।

ଧନ୍ୟ ସେ ନିତି ଯେ ଦେଖେ ଏହି ଶିରୀ

ବିଜନ ସୁଷମା ମଣ୍ଡିତ, ହେ ଗିରି ।

ଧନ୍ୟ ସେ ନିତି ଯେ ଶ୍ରୀ ହରି ଶଙ୍କରେ

ଭକ୍ତି ଅର୍ଘ୍ୟ ଢାଳି ପ୍ରଣମଇ ଥରେ ।

ଦେଖୁ ଦେଖୁ ଏଥି ସୌନ୍ଦର୍ଯ୍ୟର ଖେଳା

ଆସେ ନରସିଂହ ଚତୁର୍ଦ୍ଦଶୀ ମେଳା ।

ଉତ୍ତପ୍ତ ବୈଶାଖ ବିଭାବସୁକର

ଅଗ୍ନିଠାରୁ ବଳି ହୋଇଥାଏ ଖର ।

ଘର୍ମାକ୍ତ ଶରୀରେ ଭୀଷଣ ଗରମେ

ତାପିତ ହୁଅନ୍ତି ସ୍ଥାବର ଜଙ୍ଗମେ ।

କାଳ ବଇଶାଖୀ ପ୍ରଚଣ୍ଡ ତପନ

ଢାଳନ୍ତି ଅମ୍ୱରୁ ଅନଳ କିରଣ ।

ଟାଣ ହୁଏ ଖରା ତପ୍ତ ହୁଏ ଧରା

ପଶୁ ସୁଦ୍ଧା ଛାୟା ଆଶ୍ରେ ଛାତି ଚରା ।

ଦିଶେ ଧୂମାୟିତ ଦୂର ଦିଗ୍‍ବଳୟ

ଜଳ ଭ୍ରାନ୍ତି ଆଣେ ମରୀଚିକା ଚୟ ।

ମାତ୍ରକ ଗ୍ରୀଷମ ତୁମ୍ଭର ନିକଟେ

ପ୍ରଖରତା ତେଜି ସହଜେ ପ୍ରକଟେ ।

ବରଫ ଶୀତଳ ଝର ସ୍ପର୍ଶ କରି

ବହେ ଯେଉଁ ବାୟୁ ଶୀତଳତା ଧରି ।

ତାହା ସଙ୍ଗେ ଛାୟାଦାୟୀ ପାଦପର

ଛାୟା କରେ ପ୍ରତିହତ ଭାନୁକର ।

ଏକା ଧାରେ କେହି କିୟତକ୍ଷଣ ପାଇଁ

ରହିଯାଏ ଯଦି ଖରାକୁ ଅନାଇଁ ।

କିଛିକ୍ଷଣ ପାଇଁ ଲଭଇ ଅନ୍ଧତ୍ୱ

ମନେ ମନେ ଲୋଡ଼େ ଚନ୍ଦ୍ରମା ମମତ୍ୱ ।

କିଛି ମିଠା କିଛି ଅମ୍ଳ ସମ୍ମିଶ୍ରିତ

ଶୀତଳ ପାନୀୟ ପାଇଁ ଲାଳାୟିତ ।

ଶିଶୁଠାରୁ ବୃଦ୍ଧ ଯୁବକ ଯୁବତୀ

ହୋଇଥାନ୍ତି, ହୋଇ ତୃଷାତୁର ଅତି ।

ଏଣୁ କରି ଏଥି ଥଠା ପାନୀୟର

ବିକ୍ରେତା ମଣ୍ଡଳ ହୁଅନ୍ତି ତତ୍ପର ।

ଚିନି ଲେମ୍ୱୁ ପାଣି, ସରବତ ଦହି

ବରଫ ମିଶ୍ରିତ ଲସିକେ ବିକଇ ।

ଲବଣ ମରିଚ ସହିତ କାକୁଡ଼ି

ତରଭୂଜ ଦିଏ ତୃଷାକୁ ଘଉଡ଼ି ।

ଯେତେ ଯାହା କଲେ ନମରଇ ଶୋଷ

ଝର ଜଳ ପାନେ ଲଭନ୍ତି ସନ୍ତୋଷ ।

ବଇଶାଖ ଶୁକ୍ଲ ଚତୁର୍ଦ୍ଦଶୀ ତିଥି

ଧର୍ମ ଜୀବନରେ ହୁଅଇ ଅତିଥି ।

ତୋ ଉତ୍ତର ପାଦ ଦେଶେ ଅବସ୍ଥିତ

ନୃସିଂହଙ୍କ ଯାତ୍ରା ବିଧି ଅନୁଷ୍ଠିତ ।

ସାଡ଼ମ୍ୱରେ ଯଥା ହୁଅଇ ପାଳିତ

ଅନୁରୂପ ଯାତ୍ରା ହୁଏ ସମାହିତ ।

ଏଥି ତୋର ପାଦଦେଶେ ଦକ୍ଷିଣରେ

ଏକଇ ଦିବସେ ଶ୍ରୀହରିଶଙ୍କରେ ।

Unknown

ମନୋଜ୍ଞ ଉତ୍ସବ ପବିତ୍ର ପାବନ

ମହିମା ମଣ୍ଡିତ ପାପ ବିନାଶନ ।

ସୁ ନିର୍ମଳ ପୟ ପବିତ୍ର ଝରଣା

ଷଡ଼ଜୟନ୍ତୀ ମଧ୍ୟେ ଅଟେ ଅନ୍ୟତମ

ହୋଇଥାଏ ବହୁ ଲୋକ ସମାଗମ ।

ଜଳେ ଅବଗାହି ପୁରାନ୍ତି କାମନା ।

ଧୌତ କରି ପୂର୍ବାର୍ଜିତ ପାପରାଶି

ସ୍ୱୟମ୍ଭୁ ଦର୍ଶନେ ମଙ୍ଗଳ ମନାସୀ ।

ଏ ପୂର୍ଣ୍ଣ ତିଥିରେ ଦେଖି ଆଶୁତୋଷ

ଲଭନ୍ତି ମନରେ ଅଶେଷ ସନ୍ତୋଷ ।

ଯାଇଥାଅ କାଶୀ କି ଅବା ବଦ୍ରିକା

ଶିରୀକ୍ଷେତ୍ର ଧାମ କି ଅବା ଦ୍ୱାରିକା ।

ଶତ ଥର ମାତ୍ର କେହି ଯଦି ଥରେ

ନ ଆସିଛି ଏହି ଶ୍ରୀହରିଶଙ୍କରେ ।

ବିଫଳ ଜନମ ନିଷ୍ଫଳତା ଧର୍ମ

ଗଣିତ ନ ହୁଏ ତାର ଶୁଭ କର୍ମ ।

ପୂର୍ବ ସୁସଞ୍ଚିତ ମହାର୍ଘ ବସନେ

ତନୁକାନ୍ତି ମଠି ନାନା ଆଭୁଷଣେ ।

ନାନାବିଧି ପୂଜା ଉପହାର ଘେନି

ଭୁଲି ଉପବାସ ପଥ କଷ୍ଟବେନି ।

ଆତ୍ମୀୟସ୍ୱଜନ ମାନଙ୍କ ଗହଣେ

ଆସିଥାନ୍ତି ଲୋକେ ଶିବ ଦରଶନେ ।

ଶୂଚୀ ମନେ ବ୍ରତ ଉପବାସ ପାଳି

ଶିବଙ୍କ ମହିମା ମନେ ମନେ ଭାଳି ।

ଆସନ୍ତି ଭକତେ ହୋଇ ଦଳଦଳ

କରିବାକୁ ତାଙ୍କ ଜୀବନ ସଫଳ ।

ବାସଭୂଷଣର ନାନା ରଙ୍ଗ ମେଳା

ପ୍ରତେ ହୁଏ ବନବାଳା କରେ ଖେଳା ।

ଭାନୁକର ଜାଳ ଝଟକ ଭୂଷଣ

ନୟନର ମୁଦ କରଇ ବର୍ଦ୍ଧନ ।

ଏ ରୂପ ମନୋଜ୍ଞ ଶୋଭାର ପସରା

ହୁଏ ମୁଗ୍ଧଜନ ମନ ନେତ୍ର କାରା ।

ପୂଜକ ଦର୍ଶନ ମନ ଆନନ୍ଦରେ

କରି ସମାପନ ନୃସିଂହନାଥରେ ।

ମନେ ମନେ ପୋଷି ସୁଦୃଢ଼ ବିଶ୍ୱାସ

ଆରୋହୀ ପର୍ବତ ହୋଇ ଉର୍ଦ୍ଧ୍ୱଶ୍ୱାସ ।

ସୁ ଉଚ୍ଚ ବଂଧୁର କଣ୍ଟକ ଶିଖର

ଅତିକ୍ରମ କାଳେ ନୋହିଣ ମନ୍ଥର ।

ପଶ୍ଚିମା ଯାତ୍ରୀ ଏ ପଶ୍ଚିମାଞ୍ଚଳର

ମୁଖେ ଶୋଭା ପାଏ ହିନ୍ଦି ଯାହାଙ୍କର ।

ସୁ ପକ୍ୱ ରସାଳେ ପୁରାଇ ଉଦର

ମୁଖେ ସଦା ଉଚ୍ଚାରିଣ ହରହର ।

ଶୀତଳ ଛାୟାରେ ବସି କ୍ଷଣେ କ୍ଷଣେ

ଶୀକର ସମୀରେ ଘର୍ମ ବିନାଶନେ ।

ଝର ଜଳପାନେ ତୃଷା ନିବର୍ତ୍ତାଇ

ଶ୍ରୀହରିଶଙ୍କରେ ଆସନ୍ତି ଓହ୍ଲାଇ ।

ଅଭିନବ ବେଶ ଭୂଷଣ ତାଙ୍କର

ଦେଖି ମନେ ଜାତ ହୁଏ କୁତୁହଳ ।

ମନ୍ଦିର ଅଦୂରେ ଯହିଁ ଝରଜଳ

ମସୃଣ ଉପଳେ ଉର୍ଦ୍ଧୁଁ ଖସେ ତଳ ।

ସପ୍ତ ରଙ୍ଗଇନ୍ଦ୍ରଧନୁ ସେ ପ୍ରପାତେ

ଜାତ ହୁଏ ଭାନୁ କରର ସଂପାତେ ।

ପାପତାପ ହର ଝର କୁଣ୍ଡ ଜଳେ

ହର ହର ଧ୍ୱନି ଉଚ୍ଚାରି ସକଳେ ।

ସେ ରମ୍ୟ ମସୃଣ ଉପଳରେ ତନୁ

ପାତନେ ସନ୍ତାପ ହରିଥାଏ ମନୁ ।

ସଜାଇ ବିପଣୀ ବିବିଧ ସମ୍ଭାରେ

ବସଇ ଦୋକାନୀ ପର୍ଣ୍ଣକୁଟୀ ଦ୍ୱାରେ ।

ଉଚ୍ଚ ଲାଭ ଆଶା ପୋଷି ମନେ ମନେ

ଶିବଙ୍କୁ ଉତ୍କୋତ ମନାସେ ଅଜ୍ଞାନେ ।

ମାତ୍ର ମେଳା ଶେଷେ ଫେରିଗଲା ବେଳେ

ପାଶୋରେ ଯାଚଜ୍ଞା କଥା ଅବହେଳେ ।

ଦୂରାଗତ ଭକ୍ତ ସରଳ ହୃଦୟ

ବିଶେଷେ ଥାଏ ଯେ ନିସଙ୍ଗତା ଭୟ ।

ତାର ସରଳତା ସୁଯୋଗକୁ ଛକି

ଅକୁଣ୍ଠ ଚିତ୍ତରେ ଦିଏ ତାକୁ ଠକି ।

ଯାତ୍ରୀ ମାନଙ୍କର ଯାତାୟତ ପାଇଁ

ସରକାରୀ ଯାନ ସଦା ଚାଲୁଥାଇ ।

ସ୍ୱଳ୍ପ ଆୟକାରୀ ଭକତବୃନ୍ଦର

ଏହିଯାନ ଏକା ଆଶ୍ରୟ ନିକର ।

ଆମ୍ୱାସଡର ବା ଫିଆଟରେ ଚଢ଼ି

ଆସେ ଧନପତି ଅଙ୍କ ଲକ୍ଷ୍ମୀଧରି ।

ଆସେ କେହି ଉଚ୍ଚ ରାଜ କର୍ମଚାରୀ

କର୍ମ ଛଳେ ଆଣି ସରକାରୀ ଗାଡ଼ି ।

ଧରାକୁ ମଣାନ୍ତି ସରା ଯେ ଗର୍ବରେ

ଚକ୍ଷୁଷ୍ମାନ ହୋଇ ପର ଚକ୍ଷୁ ଧରେ ।

ଚଷମା ରଙ୍ଗରେ ଜଗତର ରଙ୍ଗ

ଦେଖାଯାଏ ତାଙ୍କୁ ଏ ସୃଷ୍ଟି ବିହଙ୍ଗ ।

ବଡ଼ାଇର କରି ଉଚ୍ଚ ପ୍ରଦର୍ଶନ

ଫେରି ଯିବେ ପୁଣି ନିଜର ଭବନ ।

ଦରିଦ୍ରତନୁ ନିସୃତ ସ୍ୱେଦବାରି

ବସ୍ତ୍ରାଞ୍ଚଳ କାଳେ ହେବ ସ୍ପର୍ଶକାରୀ ।

ଶଙ୍ଖ ଶୁଭ୍ର ନବନୀତ ତନୁକାନ୍ତି

ମଳିନତା କାଳେ ଭଜିବ ଏ ଭ୍ରାନ୍ତି ।

ମନେ ପୋଷି ବାଳା ଦୂରତା ବଞ୍ଚାଇ

ଜନ ସମାଗମଠାରୁ, ଚାଲୁଥାଇ ।

ଯାତ୍ରା ପୂର୍ବଦିନୁ ଗ୍ରାମ କରି ଖାଲି

ପାଖ ଗ୍ରାମବାସୀ ଆସିଥାନ୍ତି ଚାଲି ।

ଶକଟକୁ ମଣ୍ଡି ରଙ୍ଗ ବେରଙ୍ଗରେ

ଘାଗୁଡ଼ିକୁ ବାନ୍ଧି ବଳଦ ବେକରେ ।

କାନ୍ଧର ଗାମୁଛା ସମ୍ୱଲ ପୁରିଆ

ହସ୍ତର କୋରଡ଼ା ମୟୁର ଫୁଲିଆ ।

ଗୀତ ଗାଇଗାଇ ଚାବୁକ ବସାଇ

ବଳଦ ଚଞ୍ଚଳ ଦଉଡ଼ିବା ପାଇଁ ।

ଯନ୍ତ୍ର ଯାନ ସଙ୍ଗେସାଧିଥାଏ ବାଦ

ପ୍ରତିଯୋଗୀ ସାଜି ଲୋଡ଼ଇ ପ୍ରମାଦ ।

ଯଉବନ ଶୋଭା ବିକଶିତ କାରୀ

ଝୀନବାସ ପିନ୍ଧା ନାଇନଲ ଶାଢ଼ୀ ।

ମୁଖ ଶୋଭା କରିବାକୁ ଦ୍ୱିଗୁଣିତ

ପାଉଡ଼ର ଅର୍ଦ୍ଧଇଞ୍ଚ ପରିମିତ ।

ପ୍ରଲେପ ମୁଖରେ ଦେଇ ସଗର୍ବରେ

କେଶ ପାଶ ମଣି ପୁଷ୍ପ ସ୍ତବକରେ ।

ବହୁମୂଲ୍ୟ ହାର ଗଳାରେ ଲମ୍ୱାଇ

ବିଦେଶୀ ପାଦୁକା ପାଦରେ ସଜାଇ ।

ନିଜ ଭାଗ୍ୟପରଶଂସି ମନେ ମନେ

ଲୀଳାୟିତ ଛନ୍ଦେ ବିଳାସ ଗମନେ ।

କରେ ଛନ୍ଦିକର ଯୁବ ବଂଧୁ ସାଥେ

ସମତାଳ ରଚି ପ୍ରତିପାଦ ପାତେ ।

ଆସିଛି ଏଠାରେ ଦେଖିବ ଯୁବତୀ

ଆସିଛି କି କେହି ତା ଠୁଁ ରୂପବତୀ ।

ଅପେକ୍ଷାକୃତ ଯେ ଦୂର ଗ୍ରାମବାସୀ

ପୂର୍ବଦିନୁ ଆସି ହୁଏ ଅଧିବାସୀ ।

ବହୁଦିନୁ ଦେଖା ନ ଥିବା ବନ୍ଧୁରେ

ପାଇଗଲେ ଦେଖା ମନର ଆତୁରେ ।

ପ୍ରେମେ ପରସ୍ପରେ ହୋଇ କୋଳାଗ୍ରତ

କାଟନ୍ତି ଦିବସ ବାକ୍ୟାଳାପେରତ ।

ଦେବ ଦରଶନ ବ୍ୟାଜେ କେତେ ଖଳ

ପାପବୃତ୍ତି ପଥ ଗମନ ସଫଳ ।

କରନ୍ତି, ଏପରି ଦେବସ୍ଥାନେ ଆସି

ଖୁସି ବି ହୁଅନ୍ତି ଅର୍ଜି ପାପରାଶି ।

ସମାଗମ ହେଲେ ବହୁ ଲୋକଙ୍କର

କାଳେ ହେବ ତାହା ରୋଗର ଆକର ।

ଜନସ୍ୱାସ୍ଥ୍ୟ ରକ୍ଷା କରିବା ନିମନ୍ତେ

ସ୍ୱାସ୍ଥ୍ୟ କର୍ମଚାରୀ ଆସିଥାନ୍ତି ଏଥେ ।

ନ ବ୍ୟାପିବ ବୋଲି ସଂକ୍ରାମକ ରୋଗ

କରନ୍ତି ତହିଁର ସର୍ବ ଉଦ୍‍ଯୋଗ ।

ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀ

ବାଣ୍ଟନ୍ତି ଔଷଧ ବ୍ୟବସ୍ଥା ପ୍ରଚାରି ।

ପକାଇ ଔଷଧ କୀଟାଣୁ ନାଶକ

ଜଳଉତ୍ସ କରିଥାନ୍ତି ଶୁଦ୍ଧୋଦକ ।

ସରକାରଙ୍କର ପୋଲିସି ବାହିନୀ

କର୍ତ୍ତବ୍ୟ ଯାପନ୍ତି ଉନିଦ୍ର ଯାମିନୀ ।

ଭାନୁ ହେଲେ ଆସି ବାରୁଣି ଆକାଶେ

ତାରା ସଙ୍ଗେ ରାଜି ଚନ୍ଦ୍ରମା ପ୍ରକାଶେ ।

ଲୋକଙ୍କୁ ଆକୃଷ୍ଟ କରିବା ପାଇଁକି

ବିପଣୀରେ ଖେଳେ ଆଲୋକ ଭେଳିକି ।

ବିବିଧ ବର୍ଣ୍ଣର ଆଲୋକରେ ଝଳି

ପଣ୍ୟ ବସ୍ତୁ ଆଭା ଉଠଇ ଉଜ୍ଜଳି ।

ବଜାଇ ମାଇକ ସୁଉଚ୍ଚ ସ୍ୱରରେ

ଦୋକାନୀ ଗ୍ରାହକେ ଆକର୍ଷିତ କରେ ।

ମନ୍ଦିର ପ୍ରାଚୀରୁଁ ଚୂଡ଼ା ପରିଯନ୍ତେ

ଆଲୋକର ସ୍ରୋତ ବହଇ ଯେମନ୍ତେ ।

ସର୍ବତ୍ର ଆଲୋକ ହୋଇ ସମ୍ମିଳିତ

ଅନ୍ଧକାରେ ଧକ୍କା ଦିଅନ୍ତି ତ୍ୱରିତ ।

ଘଉଡ଼ି ଦେବାରୁ ଦୂରକୁ ଅନ୍ଧାର

ରାତ୍ରୀ ଜଣାଯାଏ ଦିବସ ପ୍ରକାର ।

ରଜନୀ ରାଣୀ ତା ସ୍ୱଛନ୍ଦ ବିହାର

ରଚନାକୁ କରିଥାଏ ପରିହାର ।

ଆଲୋକର ତେଜ, ଜନ କୋଳାହଳ

ଦେଖି ଭୟେ ଲୁଚିରହେ ଗଛତଳ ।

ତା ସଜନୀ ସ୍ୱପ୍ନ ବାଳାଯାଏ ଘୁଞ୍ଚି

ଜନନେତ୍ରେ ଯେଣୁ ନ ପାରେ ପହୁଞ୍ଚି ।

କାହିଁବା ସିନେମା, କାହିଁ ଥିଏଟର

କାହିଁବା ଭଜନ କୀର୍ତ୍ତନ ମଣ୍ଡଳ ।

କଳାକୁଞ୍ଜ ରଖି କଳାର ମହିମା

ଜୀବନ୍ତ ପରାଏ ଦେଖାଏ ପ୍ରତିମା ।

ଜନ କୋଳାହଳେ ଡରି ପଶୁପତି

ଆସୁନାହିଁ ଆଜି ପଶୁପତି କତି ।

ତେଣୁକରି ଶିବନୈଶ୍ୟ ଅଭିଯାନେ

ନ ଯାଇ ନିଶ୍ଚିନ୍ତେ ଅଛନ୍ତି ଆସ୍ଥାନେ ।

ଅଧିକନ୍ତୁ କାଲି ପ୍ରଭାତରେ ଜନେ

ଖଣ୍ଡିବେ ପାତକ ଶିବ ଦରଶନେ ।

ପ୍ରଭାତେ ପ୍ରଥମ ଶିବ ଦରଶନ

ଆଣେ ସର୍ବଜନ ମନ ଛନଛନ ।

ନିଶି ଅର୍ଦ୍ଧଯାମେ ତନ୍ଦ୍ରିଳ ନୟନେ

ଅଚିନ୍ତାରେ ନିଦ୍ରା ଯାନ୍ତି ଶିଶୁ ଗଣେ ।

କେବା ପିତୃକ୍ରୋଡେ, ମାତା ଚେଳାଞ୍ଚଳେ

କେବା ନିଦ୍ରା ଯାଇଥାଏ ଭୂମିପରେ ।

ସ୍ନିଗ୍ଧ ଶଶିକରେ ମସୃଣ ଉପଳେ

ବାହୁ ଉପାଧାନେ ମନ ନିର୍ଭୟରେ ।

ଯେ ପାରିଛି ଥରେ ଜୀବନେ ପହୁଡ଼ି

ଜୀବଥିବା ଯାଏ ପାରେ ନାହିଁ ହୁଡ଼ି ।

ବାରୁଣିକୁ ଗତ ହେଲେ ଶୀତକର

ନିଦାଘେ ବି ଶୀତ ବଢ଼ାଏ ତା କର ।

ବ୍ୟାସ ସରୋବରେ ସପ୍ତର୍ଷି ମଣ୍ଡଳ

ଗମନ୍ତି ଯେ କାଳେ ଚୟନେ ପୁଷ୍କର ।

ଅରୁଣ ରକ୍ତିମ କିରଣ ରଞ୍ଜିତ

ପୂର୍ବାକାଶ ଶୋଭା ନହେଉଁ ପ୍ରତୀତ ।

ବମ୍‍ ବମ୍‍ ହର ହର ଶିବ ଶମ୍ଭୁ

ଗମ୍ଭୀରେ ଗରଜେ ଭକ୍ତ କଣ୍ଠ କମ୍ୱୁ ।

ଧ୍ୱନି ଗିରି ଦରି ଗୁହାରେ ବିଚରି

ପ୍ରତିଧ୍ୱନି ଛଳେ ଉଠଇ ଗୁଞ୍ଜରି ।

ମଙ୍ଗଳ ପ୍ରଭାତ ମଙ୍ଗଳରେ ଆସି

ହୁଏ ଉପସ୍ଥିତ ମଙ୍ଗଳ ମନାସୀ ।

କୋକିଳ ମଧୁର ପ୍ରଭାତୀ ସଙ୍ଗୀତ

କୋଳାହଳ ମଧ୍ୟେ ହେଉଥାଏ ଗୀତ ।

ମହାର୍ଘ ବର୍ଣ୍ଣାଢ୍ୟ ବସନ ଭୂଷଣ

ସ୍ନାନ ଅନ୍ତେ ସର୍ବେକରି ପହରଣ ।

ପୂଜା ଉପହାର ଅଗୁରୁ ଚନ୍ଦନ

ଧୂପଦୀପ ପୁଷ୍ପ ନୈବେଦ୍ୟ ସମାନ ।

ହସ୍ତେଧରି ଧାଡ଼ି ଧରି ଦରଶନ

ଅପେକ୍ଷାରେ ରହିଥାନ୍ତି ଭକ୍ତଜନ ।

ଚପଳ ଶିଶୁକୁ କାନ୍ଧରେ ବସାଇ

ମନ୍ଦିରର ସାଜସଜ୍ଜାକୁ ଦେଖାଇ ।

ପ୍ରସାଦ ଦେବାକୁ ଭୋଗପରେ କହି

ଶିଶୁ ମନ ଯୋଗ ଅନ୍ୟତ୍ର ନିଅଇ ।

ଜନ ସ୍ରୋତ ମାଡି ଆସେ ଦ୍ୱାରବନ୍ଧ

ବିଶେଷ ପ୍ଲାବନେ ଯେହ୍ନେ ନଦୀବନ୍ଧ ।

ଗୋଟି ଗୋଟି ହୋଇ ମନ୍ଦିରେ ପ୍ରବେଶି

ଉମାପତି ପଦେ ମନକୁ ନିବେଶି ।

ଅଶ୍ରୁ ଅର୍ଘ୍ୟ ଢାଳି ଭକତି ଅନ୍ତରେ

ଯେ ଯାହା ଅଭିଷ୍ଟ ଲାଭ ବାଞ୍ଛାକରେ ।

ଉମାପତି କଇଳାଶପତି ଜୟ

ମୋ ଦୁଃଖ ହରଣେ ହୁଏ ହେ ସଦୟ ।

ମନ୍ଦିର ଭିତରେ ବାୟୁ ଲହରରେ

ଧୂପଦୀପ ଗନ୍ଧଧୀରେ ଖେଳାକରେ ।

ଆଘ୍ରାଣେ ତା ସର୍ବ ପାପ ତାପ ହରେ

ଅଲଭ୍ୟ ଅନ୍ୟତ୍ର ଜନ୍ମ ଜନ୍ମାନ୍ତରେ ।

ଶିବ ଦରଶନ ପ୍ରସାଦ ସେବନ

କରନ୍ତି ଶ୍ରବଣ ସାଧୁ ପ୍ରବଚନ ।

ଶିବ ଦରଶନ ଅନ୍ତେ ମନ ଭ୍ରମେ

ଭ୍ରମଣେ, କ୍ରୀଡ଼ନେ ବୟଃ ଅନୁକ୍ରମେ ।

ବିପଣୀରେ ବଢ଼ି ଚାଲେ ବ୍ୟବସାୟ

ଉପବାସୀ ଖୋଜେ ବିଶ୍ରାମ ଉପାୟ ।

ଭାନୁକର ଲୋକ ମୁଣ୍ଡ ମାଳପରେ

ଭୂସ୍ପର୍ଶ ନ କରି ତା ବିହାର କରେ ।

ଲଳନା କବରୀ ପୁଷ୍ପ ସ୍ତବକରେ

ଲୁବ୍ଧ ଷଟ୍‍ ପଦ ଯହିଁ ଗୁଣୁ ସ୍ୱରେ ।

ଉଡ଼ୁଉଡ଼ୁ ଥରେ ଥରେ ଗଲେ ବସି

କର ପଦ୍ମ ଚାଳି ତଡ଼ଇ ଆଳସୀ ।

ରୂପ ଶୋଭାଶିରୀ ଅତର ସୁଗନ୍ଧ

ବିତରି ବିଳାସ ଗତି ଯାର ମନ୍ଦ ।

ଦୋଳାୟିତ ବାହୁଲତିକା ବାହୁଟି

ପରେ ପଡ଼ି ସୂର୍ଯ୍ୟ କର ଉଠେ ଫୁଟି ।

ସ୍ୱେଦ ହିମକଣା ମୁଖ ତାମରସେ

ସୌର କର ଜାଳ କିରଣେ ବିଳସେ ।

ଲଳନା ଲାବଣ୍ୟ କବରୀ ସୁଗନ୍ଧ

ଭାରେ ଗନ୍ଧବହ ଗତି ହୁଏ ମନ୍ଦ ।

ଶ୍ରାନ୍ତ ତନୁ ଲତା ପଡ଼ଇ ଝାଉଁଳୀ

ନର କର ସ୍ପର୍ଶେ ଯଥା ଲାଜକୁଳୀ ।

କୌତୁହଳ ସୃଷ୍ଟି କରୁବାକୁ କେହି

ବାଳକ ଉଠଇ ଆମ୍ୱ ଗଛେ ଯାଇ ।

ନିଜକୁ ଲୁଚାଇ ପତ୍ରର ଗହଳେ

ଅର୍ଦ୍ଧ ଭୁକ୍ତ ଆମ୍ୱ ଫିଙ୍ଗି ଥାଏ ତଳେ ।

ଆନନ୍ଦେ ନିଜର ସ୍ଥିତିକୁ ପ୍ରକାଶେ

ବୁଡ଼ାଏ ସାଥିଙ୍କୁ ନାନା ହାସ୍ୟରସେ ।

ସ୍ୱଭାବ ଚଞ୍ଚଳା ଆଦିବାସୀ ବାଳା

କୃଶ କଟୀରେ ଯା ଶୋଭଇ ମେଖଳା ।

କ୍ଷିପ ପଦକ୍ଷେପେ ଉଠଇ ପାବଚ୍ଛେ

ସମବୟସୀଙ୍କୁ ପକାଇଣ ପଛେ ।

ଯଉବନ ଭାରାକ୍ରାନ୍ତ ନିତମ୍ୱିନୀ

ସୋପାନ ଉଠନ୍ତେ ସେ ଦୃତ ଗାମିନୀ ।

କ୍ଲାନ୍ତ ହୋଇ ବୃକ୍ଷ ଛାୟା ଲାଭ ସଙ୍ଗେ

ଆଳସୀ ଠାଣିରେ ଉଭା ହୁଏ ରଙ୍ଗେ ।

ତରୁ ଦେହେ ଦେହ ଭାର ଢାଳି ଦେଇ

ସ୍ୱର୍ଣ୍ଣ ବାହୁଲତା ଉର୍ଦ୍ଧ୍ୱକୁ ଟେକଇ ।

ବାସବଭବନେ ଲୀଳା ନୃତ୍ୟ ସାରି

ଉଭା ହୋଇଛି କି ସ୍ୱର୍ଗ ଅପସରୀ ।

କି ଅବା ସ୍ୱର୍ଗୀୟ ସୁଷମା ମାଧୁରୀ

ମୂର୍ତ୍ତୀମତୀ ହୋଇ ଆସେ ମର୍ତ୍ତ୍ୟପୁରୀ ।

ଅନୁଢ଼ା କିଶୋରୀ ପଛେ ପଛେ କେହି

ଦୁଷ୍ଟ ଚାଲୁଥାଇ ନ ଜାଣିଲା ହୋଇ ।

ଦେହ ଗଲେ ବାଜି କେବେ ଦେହେଥରେ

ଅଜ୍ଞାତ ପରାୟେ ଅଭିନୟ କରେ ।

ରାଜୋଦ୍ୟାନ ଲବ୍ଧ ସୁପକ୍ୱ ସୁମିଷ୍ଟ

ଫଳହାରେ ପୂର୍ଣ୍ଣ କରାଇ ଅଭୀଷ୍ଟ ।

ଉପବାସ କଷ୍ଟ କରିଣ ଲାଘବ

ଉପବାସୀ ଜନ ଲଭେ ତୃପ୍ତିଭାବ ।

ସନ୍ଧ୍ୟା ଯବନିକା ଧୀରେ ଆସେ ନଇଁ

ପରାଚୀ ଗଗନେ ଚନ୍ଦ୍ରମା ରାଜଇ ।

ସଙ୍ଗେ ଘେନି ଶତ ତାରା ସହଚରୀ

ଅନ୍ଧାର ନାଶଇ ଜୋଛନା ବିତରି ।

ଆଲୋକମାଳାରେ ରଞ୍ଜିତ ସମ୍ଭାର

ବିପଣୀରେ ବଢ଼ିଚାଲେ କାରବାର ।

ସୁଧା ଧବଳିତ କାନ୍ତି ବିଭୁଷିତ

ମନ୍ଦିର ଆଲୋକ ମାଳାରେ ଭୂଷିତ ।

ହୋଇ ରାଜେ ତହିଁ ମନ୍ଦର ପରାଏ

ଜନତା ଗହଳି ସିନ୍ଦୁ ଶୋଭାପାଏ ।

ଅନ୍ଧାରକୁ ବାନ୍ଧି ନିଜର ଅଞ୍ଚଳ

ପ୍ରକୃତି କରଇ ବନ୍ଦୀ ବୃକ୍ଷତଳ ।

ହିଂସ୍ରଜନ୍ତୁ ପୂର୍ଣ୍ଣ ହେଲେହେଁ କାନନ

ଭୟଭୀତ ଏଥି ନୁହେଁ କାହା ମନ ।

କ୍ରମେ ରାତ୍ରୀ ହେଲେ ପ୍ରଥମ ଯାମରେ

ମନୋରଞ୍ଜନର ବ୍ୟବସ୍ଥା ପ୍ରସରେ ।

ପଲ୍ଲୀ ନାଚ଼ଗୀତ, ପାଲା, ସରକସ

ଆଦି ଦେଖି ଜନେ ଲଭନ୍ତି ହରଷ ।

ମନ୍ଦିର ନିକଟେ ସ୍ଥାନ ଅଭାବରେ

ବିପଣୀ ବିସ୍ତରେ ଅଦୂର ପ୍ରାନ୍ତରେ ।

ଭ୍ରମଣ ନିରତ ସପ୍ତର୍ଷି ମଠଳ

ମାତ୍ର ଧ୍ରୁବତାରା ଯେହ୍ନେ ଲକ୍ଷ୍ୟସ୍ଥଳ ।

ଯେତେ ବି ଆମୋଦ ପ୍ରମୋଦରେ ଲୋକ

ରତ ଥିଲେ ସୁଦ୍ଧା ମନେଥାଏ ଦକ ।

ନିଶି ଅର୍ଦ୍ଧଯାମେ ଦେବାଳୟୋପରି

ଉତ୍‍ଥିତ ସେ ମହାଦୀପେ ଅନୁସରି ।

ଦର୍ଶନ ଆଶାରେ ଆଶାଦୀପ ଜାଳି

ଚିନ୍ତିତ ମାନସେ ହେଉଥାନ୍ତି ଭାଳି ।

ସତେଅବା ସେହି ଦୀପର ଦର୍ଶନେ

ମୋହ ଅନ୍ଧକାର ଘୁଞ୍ଚିବ ଜୀବନେ ।

ମୁକ୍ତିମାର୍ଗ କରି ଆଲୋକିତ ତାହା

ଜୀବନରେ ଦେଖାଇବ ସତ୍‍ରାହା ।

ପଥ ଦୁଇ ପାର୍ଶ୍ୱେ ଭିକ୍ଷୁକଙ୍କ ମାଳ

ଭିକ୍ଷା ମାଗୁଥାନ୍ତି ଧରି ଭିକ୍ଷା ଥାଳ ।

ଜନ୍ମାନ୍ଧ କେହି ତା ବିମୋହନ ସ୍ୱରେ

ଶଙ୍କର ଭଜନ ଉଚ୍ଚେ ଗାନ କରେ ।

ବୀଣା ଜିଣା ସେଇ ସ୍ୱରର ଲହର

‘ପଇସାଏ’ ମିଳୁ ପ୍ରାର୍ଥନା କାତର ।

ପ୍ରତେ ହୁଏ ଗିରି ପ୍ରସ୍ତର ତରଳେ

ଝର ରୂପେ ଅବା ବହିଯାଏ ତଳେ ।

ଜଟାଜୁଟ ଭାର ପୂର୍ଣ୍ଣ ଯାର ଶିର

ଭସ୍ମ ବିଲେପିତ ସର୍ବାଙ୍ଗ ଶରୀର ।

ତରୁଚ୍ଛାୟା ତଳେ ମୃଗଚର୍ମୋପରି

ସନ୍ନ୍ୟାସୀଏ ଦଠ କମଣ୍ଡଳୁ ଧରି ।

ବସି ବେଦ ଅଧ୍ୟୟନେ ଥାନ୍ତି ରତ

ପରିଷ୍କାର କରୁଥାନ୍ତି ମୁକ୍ତିପଥ ।

ଗଭୀର ନିଶିଥେ କେବେକେବେ କାହିଁ

ତସ୍କର ଉତ୍ପାତ ଶୁଣା ଯାଇଥାଇ ।

ପୀଡ଼ିତର ହୃଦ ବିଦାରକ ଧ୍ୱନୀ

ପ୍ରସରି କମ୍ପାଇ ଉଠାଏ ଅବନୀ ।

ଦିନ ଚାରି ପରେ ମେଳା ଯାଏ ସରି

ବାହୁଡ଼ନ୍ତି ଲୋକେ ଘର ଅନୁସରି ।

ସୁଦୂର ପ୍ରବାସୁ ବନ୍ଧୁ ଦୁଇଗୋଟି

ପଚିଶ ବସନ୍ତ ଥିବେ ଅବା ଭେଟି ।

ଲଭିଲେ ସୁଯୋଗ କାର୍ଯ୍ୟାନ୍ତରେ ଆସି

ବିରାଜନ୍ତି ଯହିଁ ପ୍ରଭୁ କାଶୀବାସୀ ।

ଅପୂର୍ବ ପ୍ରକୃତି ବିଳାସ ମହିମା

ସଂସାରର ସାର ସୌନ୍ଦର୍ଯ୍ୟ ଗାରିମା ।

ପାଦପ ପଥର ଶୈଳ ଶ୍ରେଣୀଯୁକ୍ତ

ସ୍ୱଚ୍ଛ ନିର୍ଝରିଣୀ ଶୀତଳ ମରୁତ ।

ଆଶୈବାଳ ମହାଦୃମ ବିମଣ୍ଡିତ

ତୃଣଭୋଜୀ ଜୀବ, ଶ୍ୱାପଦ ପୁରିତ ।

ଫଳ ପୁଷ୍ପଭରା ଶାଖାର ଶୋଭନ

ବର୍ଦ୍ଧନ କରନ୍ତି ଯହିଁ ପକ୍ଷୀଗଣ ।

ପ୍ରକୃତିରାଣୀ ତା ନୈଶ୍ୟ ବିହାରରେ

ବାହାରିଲେ ପଥ ଆଲୋକିତ କରେ ।

ଖଦ୍ୟୋତ ଦେଖାଇ ନିଜର ଆଲୋକେ

ଅଭିନବ ଶୋଭାଧର ଏ ଭୂଲୋକେ ।

ମଧୁର କାକଳି ନିଶି ଦିବସରେ

ବିଦଗ୍ଧ ପରାଣ ପୁଲକିତ କରେ ।

ପ୍ରେମ ମନ୍ଦାକିନୀ ହୋଇ ପ୍ରବାହିତ

ଚିନ୍ତିତ ମାନସ କରିଥାଏ ସିକ୍ତ ।

ଫଳପୁଷ୍ପ ଭରା ଶୋଭା ଉଦ୍ୟାନର

ନନ୍ଦନ କାନନ ଅବା ସେ ମର୍ତ୍ତ୍ୟର ।

କାଶୀବାସୀଙ୍କର ଯାନିଯାତ୍ରା ମେଳା

ବର୍ଷ ବାରମାସ ଲାଗିଥାଏ ଖେଳା ।

ଅଧିବାସୀଙ୍କର ଦେଖି ସରଳତା

ମନରେ ଜାଗିଲା ଅତି ପ୍ରସନ୍ନତା ।

କଳ୍ପନାରେ ତାଙ୍କ ନଥିଲା ଏମନ୍ତ

ସର୍ବ ଶୋଭାରାଶି ଠାଏ ମୂର୍ତ୍ତିମନ୍ତ ।

ଶୋଭାମଣି ଖଣି କରି ଆବିଷ୍କାର

ତା ଭିତରେ ଯିବା କରିଲେ ବିଚାର ।

ପଥ ପ୍ରଦର୍ଶକ ଅଭାବେ ସେ ପଥ

ଗମନେ ହୋଇ ନପାରିବେ ସମର୍ଥ ।

ତାହା ଜାଣି ଦିନେ ଆସି ନିରୋଳାରେ

ମିଳିଲେ ସେ ଦୁହେଁ ମନ୍ଦିର ବେଢ଼ାରେ ।

ଶିବ ସମ ଏକ ଶିବଙ୍କ ସେବକେ

ପୁଚ୍ଛିଲେ ସକଳ ମନର ନିଶଙ୍କେ ।

ହେ ସେବକ ଆମ୍ଭ ପ୍ରଶ୍ନର ଉତ୍ତର

ଦେଇ କି ପାରିବ ଅଛି ଅବସର ।

ଶୋଭା ମଣି ଖଣି ଏ ପବିତ୍ର ସ୍ଥଳେ

ଦେଖି ପ୍ରବେଶିକା ବୁଦ୍ଧି ତ ନ ଚଳେ ।

ଜ୍ଞାନର ବର୍ତ୍ତିକା ଜାଳି ମନୋରଥ

ପୁରାଅ ଆମ୍ଭର ଦେଖାଇ ସେ ପଥ ।

କି ରୂପେ କାହିଁକି ଏ ବିଜନ ସ୍ଥଳେ

ଗଙ୍ଗା ସଙ୍ଗେ ଗଙ୍ଗାଧର ବିଜେ କଲେ ।

କିଏ ସେହି ନର ଶ୍ରେଷ୍ଠ ଭାଗ୍ୟବାନ

ମନ୍ଦିର ନିର୍ମାଣେ କଲେ ଶୁଭଦାନ ।

ଅଧିକନ୍ତୁ ଏଠି ଏତେ ଯାତ୍ରାବିଧି

କିପରି କାହିଁକି ଲଭିଲା ପ୍ରସିଦ୍ଧି ।

ଶୁଣାଯାଏ ପ୍ରଭୁ ଶ୍ରୀହରି ଶଙ୍କର

ସର୍ବଜନ ପୂଜ୍ୟ ପାପତାପହର ।

ଅକର୍ମରେ କର୍ମଦାୟକ ଗୋସାଇଁ

ଏ ସ୍ଥାନ ପସନ୍ଦ କରିଲେ କିପାଇଁ ।

ସୁଶୀତଳ ଗଙ୍ଗା ପରି ଏହି ଝର

କେବେବି ନଶୁଖି ବହେ ନିରନ୍ତର ।

କେବେ କାହାଠାରେ ହୋଇଣ ସଦୟ

ଦେଇଛନ୍ତି ପ୍ରଭୁ ତାକୁ ବରାଭୟ ।

କଲେ ଏହିସବୁ ସନ୍ଦେହ ମୋଚନ

କୃତଜ୍ଞ ରହିବୁ ଆମେ ଦୁଇଜଣ ।

ଏହା ଶୁଣି ଅଳ୍ପ ହସି ସେ ପୂଜାରୀ

କହିଲେ କଥାଏ ପୁଚ୍ଛିଲ ବିଚାରି ।

ଜନନେତ୍ରେ ଏହା ସଉନ୍ଦର୍ଯ୍ୟ ଖଣି

କୋଶଳ ପ୍ରକୃତିରାଣୀ ମଥା ମଣି ।

ଶଶ୍ମାନ ନିବାସୀ ପ୍ରଭୁ ଆଶୁତୋଷ

ପ୍ରକୃତି ବିହାର ଦର୍ଶନେ ସନ୍ତୋଷ ।

ଅଧିକନ୍ତୁ ପୁଷ୍ଟ ପ୍ରକୃତି ସମ୍ଭାରେ

ନୈସର୍ଗିକ ଶୋଭାଧର ଏ ସଂସାରେ ।

ଦେବଦେବ ମହାଦେବ କାଶୀବାସୀ

ହେଲେ ଏ ବିଜନ ସ୍ଥଳର ନିବାସୀ ।

ହେବାରୁ ମନୋଜ୍ଞ ନୁହଇଁ କେବଳ

ନୀଳକଣ୍ଠଙ୍କର ଏ ଆବାସ ସ୍ଥଳ ।

କହିବି ତୁମକୁ ପୁରାଣର ସାର

ସଙ୍ଗେ କିମ୍ୱଦନ୍ତୀ କରେ ଯା ପ୍ରଚାର ।

ଲୋକମୁଖେ ଲୋକଗାଥା ପ୍ରଚାରିତ

ଯାହା ବିଜ୍ଞଜନମାନଙ୍କ ରଚିତ ।

ତାହା ସଙ୍ଗେ ପୁଣି ଦକ୍ଷିଣ କୋଶଳ

ରାଜବଂଶ ଇତିହାସ ଯା ଅସଲ ।

ଶୁଣିଲେ ପୁରିବ ତୁମ ମନୋରଥ

ଖଣି ମଧ୍ୟେ ଯିବା ପାଇଯିବ ପଥ ।

ତ୍ରେତୟାରେ ଯେବେ ଅଯୋଧ୍ୟା ନଗରେ

ରାମ ଥିଲେ ରାଜା, ତା ପୂର୍ବ କାଳରେ ।

ପୁଣ୍ୟତୋୟା ଗୋଦାବରୀ ନଦୀତୀରେ

ଉତ୍ତଙ୍ଗ ଆଶ୍ରମ ସୁବାହୁ ବନରେ ।

ମହର୍ଷି ଦୁହିତା ମାଳତୀ ସେ ବନେ

କରୁଥିଲା ଖେଳା ପୂର୍ଣ୍ଣ ଯଉବନେ ।

ବିଂଶବାହୁ ବିଂଶନେତ୍ରେ ସେ ସମ୍ପଦ

ଦେଖି ଲୋଭାନ୍ୱିତ ତା ମନ ଷଟ୍‍ପଦ ।

ବଳେ ହରିବାଳା ସତୀତ୍ୱ ସତ୍ୱର

ଉଲଗ୍ନେ ଫିଙ୍ଗିଲା ନଦୀର ଗର୍ଭର ।

ପରକାଶି ଦୟା ମାତା ଗୋଦାବରୀ

ରଖିଲେ ମରଣ ମୁହଁରୁ ଉଦ୍ଧରି ।

ବିବସନା ବାଳା ଲଜ୍ଜାରେ କ୍ରନ୍ଦନ

କରି ଆଶ୍ରମକୁ କରେ ଆଗମନ ।

ଘଞ୍ଚବଣେ ପଥ ନ ପାଇ ନିରାଶ

ଅକସ୍ମାତେ ଭେଟେ ମୂଷଳ ରାକ୍ଷସ ।

ମୁଖେ ମଧୁହୃଦେ ବିଷ ଭରି ପାପୀ

ସତେ ଯେହ୍ନେ ପରଦୁଃଖରେ ସନ୍ତାପି ।

କଲା ବସ୍ତ୍ର ଦାନ ଲଜ୍ଜା ନିବାରଣେ

ମନରେ ବିଶ୍ୱାସ ସ୍ଥାପନ କାରଣେ ।

ପହଞ୍ଚାଇ ଦେବ ବୋଲି ଆଶ୍ରମରେ

ଆଶ୍ୱାସି କହଇ କପଟ ମନରେ ।

ଭୁଲାଇଣ ନିଜ ଗୃହରେ ରଖିଲା

ସ୍ୱାମୀତ୍ୱ ସ୍ୱୀକାରେ ବାଧ୍ୟ କରିଥିଲା ।

ନ ପାଇଲା ଯହୁଁ ମୁକତି ଉପାୟ

ରହିଲା ମାଳତୀ ହୋଇ ଅସହାୟ ।

ଉଭୟ ରାକ୍ଷସ ଔରସରୁ ତାର

ଅବଶେଷେ ହେଲା ଗର୍ଭର ସଂଚାର ।

ଜନମିଲା ଏକ ପୁତ୍ର ବଳବନ୍ତା

ଜନ୍ମମାତ୍ରେ ହେଲା ସେହୁ ମାତୃହନ୍ତା ।

ଅପ୍ରମିତ ବଳ ବାଳକ ବାହୁରେ

ଜାଣି ତା ମୂଷଳ ଚାଲିଗଲା ଦୂରେ ।

ବନବାସୀଙ୍କୁ ସେ ଦେଲା ନାନାକଷ୍ଟ

ମୂଷିକ ଯେସନେ ଶସ୍ୟକରେ ନଷ୍ଟ ।

ଲୋକ ମୁଖେ ନାମ ହେଲା ତା ମୂଷିକ

ଦିନୁଦିନୁ ପାପ କଲା ସେ ଅଧିକ ।

ନ ଡରେ କାହାକୁ ମହାପରାକ୍ରମୀ

ବଳେ ଦେବତାଙ୍କୁ ପାରେ ଅତିକ୍ରମି ।

ପୁନଶ୍ଚ ସେ ଘୋର ତପସ୍ୟା ଆଚ଼ରି

ତୋଷି ପାରିଥିଲା ଦେବ ତ୍ରିପୁରାରୀ ।

ମହେଶ ତ ଭୋଳା, ଦେଇଥିଲେ ବର

ବଳେ କେହି ସମ ନୋହିବେ ବିଶ୍ୱର ।

କେବଳ ମାର୍ଜାର କେଶରୀ ହସ୍ତର

ଲଭିବ ମରଣ, କହିଥିଲେ ହର ।

ବର ପରାକ୍ରମେ ହୋଇ ସେ ଉଦ୍ଧତ

ସସାଗରା ଧରା କଲ ପଦାନତ ।

ସରଗକୁ ସୁଦ୍ଧା କଲା ସେ ବିଜୟ

ଦେବତା ଲୋଡ଼ିଲେ ବ୍ରହ୍ମାଙ୍କ ଆଶ୍ରୟ ।

ବ୍ରହ୍ମା ଉପଦେଶେ ଦୁର୍ଗାଙ୍କ ଚରଣ

କମଳେ ଦେବତା ପଶିଲେ ଶରଣ ।

ସର୍ବଦେବ ମିଳି କରିଲେ ବିନତି

ରକ୍ଷାକର ମାଗୋ ଦେବୀ ଭଗବତୀ ।

କଟାକ୍ଷ ତୁମର କାଳାନଳ ସମ

ଅସୁର ନିଧନେ କାଳାନ୍ତକ ଯମ ।

ପୂର୍ବେ ଚଠମୁଠ, ଶୁମ୍ଭ ଓ ନିଶୁମ୍ଭ

ଚୂର୍ଣ୍ଣ କଲ ସିଂହ ଯେହ୍ନେ କରିକୁମ୍ଭ ।

ଉଶ୍ୱାସିଲ ପୃଥ୍ୱୀ ମାରି ମହିଷକୁ

ବହିଛ ମହିଷମର୍ଦ୍ଦିନୀ ନାମକୁ ।

ଉମା କାତ୍ୟାୟନୀ ମାଆ ଗୋ ଭବାନୀ

ଶିବଙ୍କ ଶକତି, ପାର୍ବତୀ ଶିବାନୀ ।

ତୁମେ ମା ତ ସର୍ବଘଟେ ଶକ୍ତିମାନ

ସର୍ବ ଜୀବେ କର ମଙ୍ଗଳ ପ୍ରଦାନ ।

ମାଆ ଗୋ ଭବାନୀ ମା’ ମମତାମୟୀ

କୃପାନେତ୍ରେ ଦିଅ ଥରଟିଏ ଚାହିଁ ।

ଆମ୍ଭର ବିପତ୍ତି କର ମା’ଗୋ ଦୂର

ନାଶ କରି ବେଗେ ମୂଷିକ ଅସୁର ।

ଦେବଙ୍କ ପ୍ରାର୍ଥନା ରକ୍ଷାକରି ଦେବୀ

କୋପରେ ଗରଜି ଉଠିଲେ ଭୈରବୀ ।

ଚଣ୍ଡୀ ଚାମୁଣ୍ଡାଙ୍କୁ ଘେନି ଦେବୀ ରଙ୍ଗେ

କରିଥିଲେ ରଣ ସେ ପାପିଷ୍ଠ ସଙ୍ଗେ ।

ଦେଇଥିଲେ ବର ଦେବ ମହାଦେବ

ଭବାନୀ ଲଭିଲେ ହାର ପରାଭବ ।

ମହାପ୍ରତାପୀ ସେ ମହାଦେବ ବରେ

ତେଣୁ କରି ଦେବୀ ହାରିଲେ ସମରେ ।

ପୁଣି ଦେବତାଙ୍କ ବଢ଼ିଲା ବିପତ୍ତି

ଶରଣ ଲୋଡ଼ିଲେ ଯାଇ ବେଦପତି ।

ହରବ୍ରହ୍ମା ସହ ସକଳ ଦେବତା

ଚିନ୍ତା କଲେ ବସି ମୁକତିର କଥା ।

ଧ୍ୟାନ ବଳେ ବ୍ରହ୍ମା ଜାଣିଲେ ସକଳ

ହରବରେ ପାପୀ ହୋଇଛି ପ୍ରବଳ ।

ବିଷ୍ଣୁ ଛଡ଼ା କେହି ନାହିଁ ତିନିପୁର

କରିବ ନିଧନ ପ୍ରତାପୀ ଅସୁର ।

ଦେବତାଙ୍କୁ ସଙ୍ଗେ ଘେନି ବେଦପତି

ଶ୍ରୀରାମ ଚରଣେ ଢାଳିଲେ ପ୍ରଣତି ।

ହେ ନୀଳ ଶ୍ୟାମଳ ରାଜୀବ ଲୋଚନ

ରଘୁକୁଳ ଦୀପ ସଙ୍କଟ ମୋଚନ ।

ରକ୍ଷ ଠାରୁ ରକ୍ଷାକର ଭାବଗ୍ରାହୀ

ତୁମ୍ଭ ବିନୁ ଆମ୍ଭ ଅନ୍ୟ ଗତି ନାହିଁ ।

ରାକ୍ଷସକୁ ହର ଦେଇଥିବା ବର

ବୁଝାଇ ରାମଙ୍କୁ କହିଲେ ସକଳ ।

ଆପଣ କେବଳ ମାର୍ଜାର କେଶରୀ

ରୂପ ପରିଗ୍ରହ ପାରିବେ ତ କରି ।

ପରଜା ରଞ୍ଜନ ପ୍ରଭୁ ରଘୁପତି

ଦେବଙ୍କୁ କହିଲେ ଆଶ୍ୱାସ ଭାରତୀ ।

ଦେବତାଙ୍କ ପ୍ରତି ଶ୍ରୀରାମ ସଦୟ

ମୂଷିକ ନିଧନେ ଦେଲେ ବରାଭୟ ।

ରାମ ସଙ୍ଗେ ଘେନି ଅନୁଜ ଲକ୍ଷ୍ମଣ

ସୁବାହୁ ବନକୁ ଚଳିଲେ ତତ୍‍କ୍ଷଣ ।

ପ୍ରଭୁ ନରସିଂହ ମାର୍ଜାର କେଶରୀ

ବେଶରେ ସୁବାହୁ ବନରେ ବିଚରି ।

ଖୋଜି ଖୋଜି ବନେ ଦୈତ୍ୟକୁ ନପାଇ

ଆଶ୍ଚର୍ଯ୍ୟ ଚକିତ ହେଲେ ଦୁଇଭାଇ ।

ରାମଙ୍କର ଧନୁ ଗୁଣ ଟଙ୍କାରରେ

ତିନିପୁର କମ୍ପି ଉଠେ ଭୟଙ୍କରେ ।

ଜାଣିଲା ଅସୁର ରାମବାଣ ଟାଣ

ଭୟରେ ହେଲା ସେ କଣ୍ଠାଗ୍ରତ ପ୍ରାଣ ।

ମାୟାରେ ଧରିଲା ସେ ମୀନ ରୂପକୁ

ଗୋଦାବରୀ ଗର୍ଭେ ଲୁଚାଏ ନିଜକୁ ।

ଲୁଚିଲା ବେଳେ ସେ ଅତଳ ଜଳରେ

ଦେବତାଏ ଦେଖୁଥିଲେ ଆକାଶରେ ।

ରାମଙ୍କୁ କହିଲେ ମୂଷିକ ସନ୍ଧାନ

ମାର୍ଜାର କେଶରୀ ହେଲେ କୋପମାନ ।

ସିଂହ ସମ ସେହୁ ଦେଲେ ଏକ ରଡ଼ି

ବିନା ମେଘେ ଅବା ହେଲା ଘଡ଼ଘଡ଼ି ।

ଉଛୁଳି ପଡ଼ିଲା ଗୋଦାବରୀ ଜଳ

ମୂଷିକ ପଳାଏ ହୋଇଣ ବିକଳ ।

ଜାଣିଲା ନିଶ୍ଚୟ ହୋଇବ ମରଣ

ସପ୍ତପୁର ବୁଲି ଲୋଡ଼ଇ ଶରଣ ।

କେଉଁଠି ଶରଣ ନପାଇ ଶେଷରେ

ଲୁଚେ଼ ଆସି ଗନ୍ଧମାର୍ଦ୍ଦନ ବିବରେ ।

କହେ ଗିରିରାଜ ଦିଅ ହେ ଶରଣ

ନହେଲେ ନିଶ୍ଚୟ ହେଲା ମୋ ମରଣ ।

ଗନ୍ଧମାର୍ଦ୍ଦନ ତ ଶରଣ ବତ୍ସଳ

ଶରଣ ଦେଲେ ସେ ଦେଖି ତା ବିକଳ ।

ମୂଷିକ ସେଠାରେ ରହ ତେଜି ଭୟ

ଦେଲେ ଯେଣୁ ଗିରି ଅଭୟ ଆଶ୍ରୟ ।

ମାର୍ଜାର କେଶରୀ ରୂପେ ରଘୁପତି

ପହୁଞ୍ଚି ସେଠାରେ ହୋଇ କୋପମତି ।

ତ୍ୟାଗ କରିବାକୁ ପାପିଷ୍ଠ ଦୈତ୍ୟକୁ

ଆଦେଶିଲେ ପ୍ରଭୁ ଗନ୍ଧମାର୍ଦ୍ଦନଙ୍କୁ ।

ବିନୟ ବଚନେ ସେ ପର୍ବତରାଜ

କହିଲେ ହେ ପ୍ରଭୁ ରଖ ମୋର ଲାଜ ।

ନଜାଣି ନବୁଝି ଦେଇଛି ଶରଣ

ଏବେ ଛାଡ଼ିଦେଲେ ପାପର କାରଣ ।

ହେବି ମୁଁ ଜଗତେ ନିନ୍ଦା ହେବ ମୋର

ମୋ ପରାଣ ପଛେ ଘେନ ଚକ୍ରଧର ।

ଏ ସମୟେ ସର୍ବ ଦେବତାଏ ଆସି

ଲକ୍ଷ୍ମୀଙ୍କ ସହିତେ ସ୍ତୁତିକୁ ପ୍ରକାଶି ।

କହିଲେ ଏରୂପ ବିଗ୍ରହ ଏଠାରେ

ଜଗିଥାଉ ଦ୍ୱାର ପର୍ବତ ଗୁମ୍ଫାରେ ।

ଭାଜିବନି ବାଡ଼ି ମରିବନି ସାପ

ବନ୍ଦୀ ହୋଇ ଏଠି ରହିଥାଉ ପାପ ।

କେବେ ଯଦି ପାପୀ ହୋଇବ ବାହାର

ପ୍ରାଣ ବିନାଶିବେ ଅଚିରେ ତାହାର ।

ଦେବତାଙ୍କ କଥା ଶୁଣି ରଘୁପତି

ସନ୍ତୋଷେ ତହିଁରେ ଭରିଲେ ସମ୍ମତି ।

ଦିନେ ଏହି ଗିରିକୃତ ଉପକାର

ଲକ୍ଷ୍ମଣେ ମରଣୁ କରିଛି ଉଦ୍ଧାର ।

ଏଣୁ ଗିରି ମାନରକ୍ଷାର କାରଣେ

କ୍ଷମାକଲେ ପ୍ରଭୁ ଆନନ୍ଦିତ ମନେ ।

ଡାକି ଲକ୍ଷ୍ମଣଙ୍କୁ କରିଲେ ଆଦେଶ

ଜଗ ଯାଇ ଗିରି ଅପର ପ୍ରଦେଶ ।

ଗୁପ୍ତ ଶିବଲିଙ୍ଗ ରୂପେ ରହ ଭାଇ

ମୂଷିକ ଯେସନେ ନ ପାରେ ପଳାଇ ।

ଅନ୍ୟ ଦେବତାଙ୍କୁ କହିଲେ ଶ୍ରୀପତି

ଗିରି ସ୍ଥାନେ ସ୍ଥାନେ ରଚ ହେ ବସତି ।

ସମସ୍ତେ ସଜାଗ ହୋଇ ରହିଥିବ

ମୂଷିକ ଯେସନେ ପଳାଇ ନ ଯିବ ।

ଅନ୍ୟ ସମୟରେ ଭକତଙ୍କ ଦୁଃଖ

ମୋଚନେ କେବେହେଁ ନୋହିବ ବିମୁଖ ।

ସେହି ଦିନୁ ପ୍ରଭୁ ମାର୍ଜାର କେଶରୀ

ରହିଲେ ପଶ୍ଚିମ ଦିଗକୁ ଆବୋରି ।

ଗୁପ୍ତ ଶିବଲିଙ୍ଗ ରୂପେ ସଉମିତ୍ରୀ

ଜଗିଲେ ପୂରୁବ ଦିଗ ଦିବାରାତ୍ରୀ ।

ପୁନଶ୍ଚ ସେ ଦୁହେଁ ସ୍ୱଦେହକୁ ଧରି

ଫେରି ଯାଇଥିଲେ ଅଯୋଧ୍ୟା ନଗରୀ ।

ଦ୍ୱାପରେ ପାଣ୍ଡବେ ପଶାଖେଳେ ହାରି

ପଣ ଅନୁସାରେ ହେଲେ ବନଚାରୀ ।

ବହୁ ଗିରି ବନ ଭ୍ରମି ଭ୍ରମି ଶେଷେ

ପ୍ରବେଶିଲେ ଗନ୍ଧମାର୍ଦ୍ଦନ ପ୍ରଦେଶେ ।

ରମ୍ୟ ଗିରି ଦରି ଶୋଭାର ଭଠାର

ଦେଖି ଅପରୂପ ସୁଷମା ସମ୍ଭାର ।

ଖାଦ୍ୟ ପାନୀୟର ଅପୂର୍ବ ସଂଯୋଗ

ଆଶ୍ରମ ସ୍ଥାପନେ ଦେଲେ ମନଯୋଗ ।

ଶୋକ ତାପହର ପରିବେଶ ପାଇ

ରହିଥିଲେ ଏଥି କିଛି କାଳ ପାଇଁ ।

ପିତୃଶ୍ରାଦ୍ଧ ଦିନ ହେଉଁ ଉପସ୍ଥିତ

ଗଠାଜୀବ ପାଇଁ ହୋଇଲେ ଚିନ୍ତିତ ।

ଯୁଧିଷ୍ଠିର ପାଶେ ଅର୍ଜୁନେ ଡକାଇ

ଆଦେଶିଲେ ଏକ ଗଠାଜୀବ ପାଇଁ ।

ଜ୍ୟେଷ୍ଠଙ୍କ ଆଦେଶେ ଗାଠିବ ହସ୍ତରେ

ଭ୍ରମଇ ଅର୍ଜୁନ ନିଘଞ୍ଚ ବଣରେ ।

ନ ପାଇଲେ ଗଠା ବହୁଦୂର ଭ୍ରମି

ଶ୍ରମୋପନୋଦନେ ଛାୟାରେ ବିଶ୍ରମି ।

ଲତା ଆଢୁଆଳେ କିଛିକ୍ଷଣ ପରେ

ଘାସ ଗ୍ରାସ ଶବ୍ଦ ବାଜିଲା କର୍ଣ୍ଣରେ ।

ସହସା ତାହାକୁ ଗଠାଭାବି ବୀର

ନିକ୍ଷେପିଲେ ଏକ ମନଭେଦୀ ତୀର ।

କେଉଁ ଜୀବ ତାର ପ୍ରତ୍ୟକ୍ଷ ପ୍ରମାଣ

ନ ପାଇ କରିଲେ ଶରର ସନ୍ଧାନ ।

ଆଜ୍ଞା ଦେଇଦେଲେ ତା ଶିର ଛେଦନେ

ପରିଣତି କଥା ନ ଭାବିଲେ ମନେ ।

ଆଜ୍ଞା ପାଇ ତୀର ଚଳିଲା ତତ୍‍କ୍ଷଣ

ଗ୍ରାସରତା ଗାଭୀ ମସ୍ତକ ଛେଦନ ।

କରି ବାହୁଡ଼ନ୍ତେ ତୁଣୀରକୁ ଶର

ଗଠା ଆହରଣେ ହେଲେ ଅଗ୍ରସର ।

ପହଞ୍ଚି ସେଠାରେ ଯାଗ୍ଦ ଦେଖିଲେ ବୀର

ବଜ୍ରପାତ କିବା ହେଲା ନିଜ ଶିର ।

ଘୂରିଲା ମସ୍ତକ ନ ଚଳଇ ପାଦ

ମୃତବତ୍‍ ହେଲେ ଲଭି ଅବସାଦ ।

ହେଲା ଆତ୍ମଗ୍ଳାନି, ମଣିଲେ ନିଜକୁ

ପାପୀ ବୋଲି, ଧିକ୍କାରିଲେ ଜୀବନକୁ ।

ନୁହଇଁ ତା ଗଣ୍ଡା, ଅଟେ ଏକ ଗାଭୀ

ଗୋହତ୍ୟା ପାପରେ ବୁଡ଼ିଲେ ଗାଣ୍ଡିବୀ ।

ଆପାଦ ମସ୍ତକ ଥରିଲା ତାଙ୍କର

କାତର ହୃଦୟ ହେଲା ଚିନ୍ତାସର ।

ଏତେବେଳେ କିନ୍ତୁ ଧୈର୍ଯ୍ୟ ନହରାଇ

ଚିତ୍ତରେ ଚିନ୍ତିଲେ ବ୍ରହ୍ମାଠ ଗୋସାଇଁ ।

ବିପଦ ବାନ୍ଧବ ହେ କୃଷ୍ଣ ହେ ସଖା

ଏ ବିପଦୁଁ ପ୍ରଭୁ କର ମୋତେ ରକ୍ଷା ।

କାତରେ ଅର୍ଜୁନ କରନ୍ତେ ସ୍ମରଣ

ଜାଣିଲେ ତା ପ୍ରଭୁ ରାଧିକା ରମଣ ।

ଅବିଳମ୍ୱେ ପ୍ରଭୁ ପହଞ୍ଚି ସେଠାରେ

କୋଳାଗ୍ରତ କରି କହିଲେ ସଖାରେ ।

ନହୁଅ ତୁ ବ୍ୟସ୍ତ, କହୁଛି ଉପାୟ

ଯେପରି ହୋଇବ ତୋର ପାପକ୍ଷୟ ।

ଜପକର ନାମ ଶ୍ରୀହରିଶଙ୍କର

ସେ ନାମ ଅଟଇ ସର୍ବ ପାପହର ।

ହରି ଓ ଶଙ୍କର ଏକାଠି ଦର୍ଶନ

ମାତ୍ରେ ତୋର ପାପ ହୋଇବ ଖଣ୍ଡନ ।

ସେଠି ପ୍ରଥମରୁ ଥିଲେ ସଦାଶିବ

ଯଥାକାଳେ ହରି ହେଲେ ଆବିର୍ଭାବ ।

ସେଦିନୁ ଏକାତ୍ମ ଶ୍ରୀହରି ଶଙ୍କର

ଯୁଗଳ ଦେବତା ଅତି ମନୋହର ।

ହୋଇ ବିରାଜିତ ଏ ଗନ୍ଧମାର୍ଦ୍ଦନ

ଗିରି ପବିତ୍ରତା କରିଲେ ବର୍ଦ୍ଧନ ।

ଖ୍ୟାତ ସେହିଦିନୁ ଶ୍ରୀହରିଶଙ୍କର

ନମିଲେ ଅର୍ଜୁନ ପୟରେ ତାଙ୍କର ।

ହରି ହରଙ୍କର ପାଇ ଆଶୀର୍ବାଦ

ଲାଘବ ଅର୍ଜୁନ ମନ ଅବସାଦ ।

ତଥାପି ଅର୍ଜୁନ ମନଉଣା ଜାଣି

ଆନ ପ୍ରତିକାର କଲେ ଚକ୍ରପାଣି ।

ସ୍ମରନ୍ତେ ଗଙ୍ଗାଙ୍କୁ ପ୍ରଭୁ ପଦ୍ମନାଭ

ଗଙ୍ଗା ଦେବୀଙ୍କର ହେଲା ଆବିର୍ଭାବ ।

ସପତ ଋଷିଙ୍କୁ ପ୍ରଭୁ ସୁମରିଲେ

ଋଷିବୃନ୍ଦ ଆସି ସଂସ୍କାର ରଚିଲେ ।

ପୂତକରି ମନ୍ତ୍ରବଳେ ଗଙ୍ଗା ଜଳ

ଅର୍ଜୁନ ମସ୍ତକେ ଢାଳିଲେ ସକଳ ।

ଗଙ୍ଗା, ଗଙ୍ଗାଧର ସହିତ ଶ୍ରୀଧର

ପାଇ ଅତି ଧନ୍ୟ ହୋଇଲେ ଭୂଧର ।

ଏପରି ପବିତ୍ର ପରିବେଶ ପାଇ

ଆଶ୍ରମ ସ୍ଥାପନେ ମନକୁ ବଳାଇ ।

ରମ୍ୟ ଗୁମ୍ଫା ଦେଖି ହରଷିତ ମନେ

ଋଷିଏ ରହିଲେ ଆଶ୍ରମ ସ୍ଥାପନେ ।

ଋଷିମାନଙ୍କର ନିତ୍ୟ ବ୍ୟବହାର

ପାଇଁ ଗଙ୍ଗା ମାତା ହେଲେ ସପ୍ତଧାର ।

ପୂର୍ବଦିଗେ ବହେ ଏହି ଯେଉଁ ଧାର

ପାପ ବିନାଶିନୀ ନାମଟି ତାହାର ।

ଚାରିଧାମ ପୁଣ୍ୟ ସହିତ ସମାନ

ପୁଣ୍ୟ ମିଳେ ଏଥି ଥରେ କଲେ ସ୍ନାନ ।

ତ୍ରେତୟା ଦ୍ୱାପର ବିତିଯିବା ପରେ

ଆତ୍ମପ୍ରକାଶନ ଶିବଙ୍କ ମନରେ ।

ହେବାରୁ ଉଦୟ ଲୀଳା ଅଭିନବ

ରଚିଲେ ଉପାୟ ପ୍ରକାଶ ସମ୍ଭବ ।

ଗରିବ ବୁଢ଼ାଟି ଜାତିରେ ସେ କନ୍ଧ

ଖାଦ୍ୟ ଅନ୍ୱେଷଣେ ଖୋଳୁଥିଲା କନ୍ଦ ।

କଠିନ ପଦାର୍ଥେ ଖନିତ୍ର ଆଘାତେ

ବିଚିତ୍ର ଶବଦ ଶୁଭେ ଅକସ୍ମାତେ ।

ବଜ୍ରପାତ ପରି ଭୀଷଣ ଶବଦ

ଶୁଣି କିଛିକ୍ଷଣ ରହେ ସେ ସ୍ତବ୍‍ଧ ।

ଚମକି ଚକିତେ ଚୌଦିଗେ ଚାହିଁଲା

ଜଟାଜୁଟଧର ସମ୍ମୁଖେ ଦେଖିଲା ।

ତ୍ରିଶୂଳଧାରୀ ସେ ସତେଅବା ହର

ଭୟରେ ବୁଢ଼ାଟି କମ୍ପେ ଥରହର ।

କିଛି ବି ନବୁଝି କଲା ପଳାୟନ

ରାତିରେ ଯେବେ ସେ କରିଲା ଶୟନ ।

ସ୍ୱପନରେ ପୁଣି ଦେଖିଲା ତାହାଙ୍କୁ

ବନ ଦେଶେ ଦେଖିଥିଲା ସେ ଯାହାଙ୍କୁ ।

ସ୍ୱପନେ ଦେବତା ମଧୁର ବଚନେ

କହିଲେ ତ୍ରେତାରୁ ଅଛୁ ଏହି ବନେ ।

ତୋତେ ଦେଲୁ ଦେଖା ତୁ ଭକତ ସାର

ଆଗ୍ରହରେ ଘେନ ଆମ୍ଭ ପୂଜାଭାର ।

ପତ୍ର ପୁଷ୍ପଫଳ ଯାହା ଯେତେବେଳେ

ମିଳିବ ସେଥିରେ ପୂଜା କର ହେଳେ ।

ଝୁଣା ଧୂପ ଟୋଲ ତେଲ ଦୀପଜାଳି

ବନଜାତ ଦ୍ରବ୍ୟେ ସାଜି ପୂଜାଥାଳି ।

ବେଲପତ୍ର ଦାନ କରିବ ପ୍ରଧାନ

ପରେ ଦେବ ଯାହା ଅନ୍ୟ ପୁଷ୍ପମାନ ।

ନିର୍ମଳ ମନରେ ପୂଜ ଭକତିରେ

ପ୍ରଚାର ଆମ୍ଭର ମହିମା ମହୀରେ ।

ଆଜିଠାରୁ ତୋର ବଂଶ ପରମ୍ପରା

ପୂଝାରୀ ନାମରେ ପାଇବେ ଡାକରା ।

ସେବେଳେ ରମାଇ ଦେବ ନାମେ ରାଜା

ଦକ୍ଷିଣ କୋଶଳେ ପାଳୁଥିଲେ ପ୍ରଜା ।

ହର କୃପାବଳେ, ରାତ୍ରୀର ଶୟନେ

ସେ ମଧ୍ୟ ଶିବଙ୍କୁ ଦେଖିଲେ ସ୍ୱପନେ ।

କନ୍ଧ ବୁଢ଼ାକୁ ଯା’ କହିଥିଲେ ପ୍ରଭୁ

ରାଜାଙ୍କୁ ବୁଝାଇ କହିଲେ ସେସବୁ ।

ଶୁଣ ରାଜା ସେ ମୋ ଭକତ ପ୍ରଧାନ

ତା ଯୋଗୁଁ ଜଗତେ ବଢ଼ିବ ତୋ ମାନ ।

ତା ହସ୍ତେ ଅର୍ପିବ ମୋର ପୂଜାଭାର

ସାମ୍ୟ ବାର୍ତ୍ତା ମୋର ହୋଇବ ପ୍ରଚାର ।

ଜାଣନ୍ତୁ ଜଗତେ ବନବାସୀ ଜନ

ସୁଦ୍ଧା ମୋର ସେବାପୂଜାର ଭାଜନ ।

କନ୍ଧବୁଢ଼ା ଯହିଁ ଖୋଳୁଥିଲା କନ୍ଦ

ତହିଁ ଗୁପ୍ତ ଲିଙ୍ଗ ରୂପେ ମୁଁ ପ୍ରବନ୍ଧ ।

ନିକଟରେ ତାର ବହେ ଏକ ଝର

ଗଙ୍ଗାଜଳ ସମ ପବିତ୍ର ତା ଜଳ ।

ସଙ୍ଗେ ନେଇ ବୁଢ଼ା ସେ ସ୍ଥାନକୁ ଯିବ

ମନ୍ଦିର ଗୋଟିଏ ତହିଁ ତୋଳାଇବ ।

ପଶ୍ଚିମକୁ ହେବ ମନ୍ଦିର ଆନନ

ବିଶ୍ୱେ ସ୍ୱତନ୍ତ୍ରତା କରିବ ବହନ ।

ପୀଠ ନାମ ହେବ ଶ୍ରୀହରିଶଙ୍କର

ପୂଜିତ ହୋଇବେ ତହିଁ ହରିହର ।

ମୋର ପୂଜାଭାର ସେ ବୁଢ଼ା ହସ୍ତରେ

ଅର୍ପିବ, କିଛି ନ ବିଚାରି ମନରେ ।

ସ୍ୱପ୍ନେ କହି ଶିବ ହେଲେ ଅନ୍ତର୍ହିତ

ଶଯ୍ୟାତେଜି ରାଜା ମନେ ଉଲ୍ଲସିତ ।

ପ୍ରଭାତରେ ରାଜା ଡାକି ପାରିଷଦ

ସ୍ୱପନ ବୃତ୍ତାନ୍ତ କହିଲେ ବିଶଦ ।

ଜ୍ଞାନୀ, ଗୁଣୀ ଆଉ ପଣ୍ଡିତ ପ୍ରଧାନ

ଡକାଇ ନରେଶ ଜଣାଇ ସମ୍ମାନ ।

ଆଲୋଚନା କଲେ ସପନ ଭାରତୀ

ସତ୍ୟାନୁସଂଧାନେ ହେଲେ ତହୁଁବ୍ରତୀ ।

ମନ୍ତ୍ରୀ, ପାରିଷଦ ସହିତ ନୃପତି

ସାଗ୍ରହେ ଚଳିଲେ କନ୍ଧବୁଢ଼ା କତି ।

ରାଜାଙ୍କୁ ନିକଟେ ଦେଖି ବୁଢ଼ା କନ୍ଧ

ପ୍ରକାଶି ନପାରେ ମନର ଆନନ୍ଦ ।

ଭାବ ଗଦଗଦେ ନୟନ ସଜଳ

ସତ୍ୟ ଓ ସପନ କହିଲା ସକଳ ।

ସବୁ ଶୁଣି ରାଜା ଜାଣିଲେ ତା ସତ

ଶୂଳପାଣି ପଦେ ମଥା କଲେ ନତ ।

ପଶ୍ଚିମାଭିମୁଖୀ ଏକଇ ଦେଉଳ

ତୋଳାଇଲେ ରାଜା ସେହି ଝରକୂଳ ।

ସ୍ଥାପି ଶିବଲିଙ୍ଗ ଶାସ୍ତ୍ର ଅନୁସାରେ

ରଖିଲେ ବୁଢ଼ାକୁ ଶିବଙ୍କ ସେବାରେ ।

କାଳଚକ୍ର କଲା ଧୀରେ ଅଗ୍ରଗତି

ବଇଜଲ ଦେବ ହୋଇଲେ ନୃପତି ।

ଗୁଣଗ୍ରାହୀ ରାଜା ପରଜା ବତ୍ସଳ

ଧର୍ମେ ସଦାମତି ଭକତ ପ୍ରବର ।

ମାର୍ଜାର ନୃସିଂହ ଆଦେଶ ପାଳନ

କରି ଗଢ଼ିଲେ ସେ ମନ୍ଦିର ଶୋଭନ ।

ରାଜାଙ୍କ ଗୁଣରେ ବିମୁଗ୍ଧ ଜନତା

ପ୍ରଜାହିତେ ରାଜା ଥାଆନ୍ତି ସର୍ବଥା ।

ପୁତ୍ର ସମ ସେହୁ ପାଳୁଥିଲେ ପ୍ରଜା

ବିଷ୍ଣୁ ଭକ୍ତ ବୋଲି ଉଡ଼ୁଥିଲା ଧ୍ୱଜା ।

ତାହାଙ୍କ ପଣ୍ଡିତ ସଭାକୁ ମଣ୍ଡନ

କରୁଥିଲେ ସୁଧୀ ସୁଜ୍ଞାନୀ ସଜ୍ୱନ ।

ଜ୍ଞାନ, ଗୁଣ ପୁଣି ବିବିଧ ଶାସ୍ତ୍ରରେ

ଏକକୁ ଆରେକ ବଳି ପାଣ୍ଡିତ୍ୟରେ ।

କାବ୍ୟଶାସ୍ତ୍ର ବିନୋଦନେ ଦିବାନିଶି

ଯାପନ୍ତି ରାଜନ ସତ୍‍ ସଙ୍ଗେ ମିଶି ।

ତାଙ୍କ ପାଟରାଣୀ ସେ ଦୁର୍ଲଭା ଦେବୀ

ଭକ୍ତିଭରେ ସଦା ହରିହରେ ସେବୀ ।

ପତିବ୍ରତା ପୁଣି ଧର୍ମାନୁରାଗିଣୀ

ଗୃହିଣୀଙ୍କ ମଧ୍ୟେ ଆଦର୍ଶ ଗୃହିଣୀ ।

ତାହାଙ୍କ ମତରେ ହରିହର ଦୁହେଁ

ଏକାତ୍ମ ଅଟନ୍ତି ଭିନ୍ନ ଭିନ୍ନ ନୁହେଁ ।

ରାଜ ସଭା ସ୍ଥିତ ପଣ୍ଡିତ ମଣ୍ଡଳୀ

ଏକୁ ଆରେକ ଯେ ପାଣ୍ଡିତ୍ୟରେ ବଳି ।

ରାଣୀଙ୍କର ମତ ସହିତ ସମ୍ମତ

ନ ହୁଅନ୍ତି ସେହୁ ଧରି ଭିନ୍ନ ମତ ।

କିଏ କହେ ହରି ବଡ଼ କିଏ ହର

ଯୁକ୍ତି ତର୍କ ଚାଲିଥାଏ ନିରନ୍ତର ।

ମାତ୍ର ରାଣୀଙ୍କର ବୁଝେ ନାହିଁ ମନ

ଏକଦା ରାତ୍ରୀରେ ଦେଖିଲେ ସ୍ୱପନ ।

କେହି ଜଣେ ଆସି ବ୍ରାହ୍ମଣ ବେଶରେ

କହିଲେ ରାଣୀଙ୍କୁ ଅତି ସ୍ନେହଭରେ ।

ଏ ଗନ୍ଧମାର୍ଦ୍ଧନ ପୂରୁବ ପଟରେ

ଗଲେ ମାଗ୍ଦ ଦେଖିବ ଶ୍ରୀହରିଶଙ୍କରେ ।

ଏକାତ୍ମରେ ତହିଁ ଛନ୍ତି ହରିହର

ଦେଖିଲେ ପୂରିବ ଅଭୀଷ୍ଟ ତୁମ୍ଭର ।

ସେ ବେଳେ ସେ ଘଞ୍ଚ ଅରଣ୍ୟରେ ପଥ

କାହିଁ କେବେହେଲେ ଦେଖା ନଥିଲା ତ ।

ଶ୍ୱାପଦ ଶଙ୍କୁଳ ବାଧା ପୂର୍ଣ୍ଣ ପଥ

ଜାଣି ରାଣୀ ହେଲେ କ୍ଷୁର୍ଣ୍ଣ ମନୋରଥ ।

ମନଦୃଢ଼ ଥିଲେ ଉପାୟଟି ମିଳେ

ପଙ୍ଗୁ ଲଙ୍ଘେ ଗିରି ବିଭୁକୃପା ଥିଲେ ।

ରାଣୀଙ୍କ ମନର ଅବସ୍ଥାକୁ ଜାଣି

ଉପାୟ ରଚିଲେ ତହିଁ ଶୂଳପାଣି ।

ଯେଉଁ କନ୍ଧ ବୁଢ଼ା ଶଙ୍କର ଦର୍ଶନ

କରିଥିଲା ତାର କୁଳର ନନ୍ଦନ ।

ଏକ ଆସି କହେ ରାଣୀଙ୍କୁ ବୁଝାଇ

ଅରଣ୍ୟରେ ପଥ ପାରିବ ଦେଖାଇ ।

ଏହା ଜାଣି ରାଣୀ ହୋଇଲେ ଉଷତ

ଅନ୍ଧ କିବା ହେଲା ଦର୍ଶନ ସମର୍ଥ ।

ସାଗ୍ରହେ ଜଣାଇ ଚରଣେ ନୃପତି

ଭିକ୍ଷା କଲେ ରାଣୀ ରାଜ ଅନୁମତି ।

ରାଜାଙ୍କ ସଦୟ ଅନୁମତି ପାଇ

ଆୟୋଜନ କଲେ ପୀଠେ ଯିବାପାଇଁ ।

ରାଣୀଙ୍କ ସୁରକ୍ଷା ନିମନ୍ତେ ପଥରେ

ରାଜା ଦେଲେ ସୈନ୍ୟ ଯିବାକୁ ସଙ୍ଗରେ ।

ସସୈନିକ ରାଣୀ ଲଙ୍ଘି ଗିରିପଥ

ଶ୍ରୀହରିଶଙ୍କରେ ହେଲେ ଉପଗତ ।

ଏକାତ୍ମରେ ହରିହରଙ୍କୁ ଦର୍ଶନ

କରି କଲେ ତାଙ୍କ ଅଭୀଷ୍ଟ ପୂରଣ ।

ଶ୍ରୀହରି ଶଙ୍କରେ କରିଲେ ପ୍ରାର୍ଥନା

ପୁରାଇଲ ପ୍ରଭୋ ମୋ ମନୋକାମନା ।

ପୂର୍ବାର୍ଜିତ ପୁଣ୍ୟ ଫଳ ହେଲା ଲାଭ

ଦେଖିଲି ତ୍ରିନେତ୍ର ସଙ୍ଗେ ପଦ୍ମନାଭ ।

ଜୟ ଜଗଦୀଶ, ଜୟ ପୀତବାସ

ଜୟ ଶିବଶମ୍ଭୋ, ଜୟ କୃତ୍ତିବାସ ।

ଜରାଜୀର୍ଣ୍ଣାବସ୍ଥା ଦେଖି ମନ୍ଦିରର

ହେଲା ଗୁରୁଚିନ୍ତା ମନେ ରାଣୀଙ୍କର ।

ସନିର୍ବନ୍ଧ ଅନୁରୋଧେ ରାଣୀଙ୍କର

ତୋଳାଇଲେ ରାଜା ନୂତନ ମନ୍ଦିର ।

ଏବେ ଯେ ଦେଉଳ ସମ୍ମୁଖେ ତୁମ୍ଭର

ଅବଦାନ ତାହା ଅଟେ ରାଣୀଙ୍କର ।

ଇତିହାସ କରେ ଏ କଥାର ପୁଷ୍ଟି

ଭାରତେ ଏ ଏକ ଅଭିନବ ସୃଷ୍ଟି ।

ପଶ୍ଚିମାଭିମୁଖ, ଶିଳ୍ପ ଅନୁପମ

ଶୈବପୀଠ ମଧ୍ୟେ ଅଟେ ବ୍ୟତିକ୍ରମ ।

ପୀଠ ଯେଉଁପରି ଯେପରି ଦେବତା

ଅନନ୍ୟ ଅଟଇ ଇୟାର ସ୍ୱତନ୍ତ୍ରତା ।

ଅର୍ଜୁନଙ୍କଠାରୁ ଶାପ ପାଇ କାକ

ଆସି ନ ପାରଇ ମନ୍ଦିରର ପାଖ ।

କେବଳ ପୂଝାରୀ ବଂଶରେ ମୃତକ

ଘଟିବା ପୂର୍ବରୁ ଦେବାକୁ ସୂଚ଼କ ।

ମନ୍ଦିର ସୀମାକୁ ରାବିରାବି ଆସି

କରେ ଦେହତ୍ୟାଗ ଝର ଜଳେ ଝାସି ।

ହେଲେହେଁ ପର୍ବତ ଶ୍ୱାପଦ ଶଙ୍କୁଳ

ଅହିକୁଳ ଏଥି ଥିଲେହେଁ ବହୁଳ ।

କେହି ଭକ୍ତ କିବା ବ୍ରତଚାରୀ କେହି

ସର୍ପଦ୍ରଂଷ୍ଟ ଅବା ବ୍ୟାଘ୍ର ଭକ୍ଷ ହୋଇ ।

ମୃତ୍ୟୁ ମୁଖେ ପଡ଼ିଥିବାର କାହାଣୀ

କେହି କେବେହେଲେ ପାରିନାହିଁ ଜାଣି ।

ପତିତପାବନୀ ଗଙ୍ଗାଙ୍କର ସମ

ଏହି ଝର ଧାର ପାବନ ସକ୍ଷମ ।

ଏଥି ସ୍ନାନ କଲେ ଗଙ୍ଗା ସ୍ନାନଫଳ

ମିଳଇ ଜୀବନ ହୁଅଇ ସଫଳ ।

ଗଙ୍ଗା ସମ ଏଥି ଅସ୍ଥି ବିସର୍ଜନ

କଲେ ହୋଇଥାଏ ସେ ପୂଣ୍ୟ ଅର୍ଜନ ।

ଶୁଭ ପରିଣୟ, ବ୍ରତୋପନୟନ

ଆଦି ଶୁଭକାର୍ଯ୍ୟ କରି ସମାପନ ।

ଲଭିଥାନ୍ତି ଲୋକେ ଅଶେଷ ଆନନ୍ଦ

ସାକ୍ଷୀରଖି ଶିବ ସହ ଆଦିକନ୍ଦ ।

ଅନ୍ୟ ଶିବ ପୀଠେ ଶିବଙ୍କ ବାମରେ

ଶିବାଙ୍କ ଆସ୍ଥାନ ପାର୍ବତୀ ରୂପରେ ।

ମାତ୍ର ଏଠି ମାତା ଭଇରବୀ ସାଜି

ଦକ୍ଷିଣ ପାରୁଶେ ଅଛନ୍ତି ବିରାଜି ।

ଶିବଙ୍କ ମନ୍ଦିର ମୁଖ ପଶ୍ଚିମକୁ

ଥାଇଁ ଭୈରବୀଙ୍କ ମୁଖ ପୂରୁବକୁ ।

ଏହି ବିଲକ୍ଷଣ ଲକ୍ଷଣ କାରଣ

ସଠିକରେ ହୋଇ ନାହିଁ ନିରୂପଣ ।

ଏଠାରେ ଗଣେଶ ଅଷ୍ଟଭୂଜ ଧାରୀ

ତ୍ରିତାପ ହରନ୍ତି ହୋଇ ଦୁଃଖହାରୀ ।

ଜଗତର ନାଥ ପ୍ରଭୁ ଜଗନ୍ନାଥ

ଏଠାରେ ଦଧିବାମନ ରୂପେ ଖ୍ୟାତ ।

ବିନା ଭାଇଭଗ୍ନୀ ଏକାକୀ ବିରାଜି

ହରନ୍ତି ସକଳ ଭକ୍ତ ଦୁଃଖ ରାଜି ।

ସମତାଳ ଦେଇ କାଳର ଘୂର୍ଣ୍ଣନ

ସଙ୍ଗେ ଯାନି ଯାତ୍ରା ହୁଅଇ ପାଳନ ।

ବଇଶାଖ ଶୁକ୍ଲ ଚତୁର୍ଦ୍ଦଶୀ ଦିନ

ନରସିଂହଙ୍କର ପୂଜାର ବିଧାନ ।

ହୁଅଇ ଯେପରି ପାଇକ ମାଳରେ

ଅନୁରୂପ ହୁଏ ଶ୍ରୀହରିଶଙ୍କରେ ।

ନୃସିଂହନାଥ ବା ଶ୍ରୀହରିଶଙ୍କରେ

ଦରଶନ ସାରି, ଅପର ପାର୍ଶ୍ୱରେ ।

ଥିବା ମନ୍ଦିରକୁ ଲଙ୍ଘି ଗିରିପଥ

ଯାନ୍ତି ଭକ୍ତବୃନ୍ଦ ଦୃଢ଼ ମନୋରଥ ।

ସ୍ଥାନେସ୍ଥାନେ ଜଳଛତ୍ର ଆୟୋଜନ

କରନ୍ତି ସ୍ୱୟଂସେବକ ସଂଗଠନ ।

ଶିବରାତ୍ରୀ, ରଥଯାତ୍ରା, ଦଶହରା

ପାଳିତ ହୁଅଇ ଧରି ପରମ୍ପରା ।

ମନ୍ଦିରର ଟ୍ରଷ୍ଟିବୋର୍ଡ, ପ୍ରଶାସନ

ସହିତ ସ୍ୱୟଂସେବକ ସଂଗଠନ ।

ମିଳିମିଶି ନୀତିକାନ୍ତି ପ୍ରଭୁଙ୍କର

ଆନନ୍ଦେ ହୁଅନ୍ତି ପାଳନେ ତତ୍ପର ।

ଉନବିଂଶ ଷଷ୍ଠ ଦଶକ ପର୍ଯ୍ୟନ୍ତ

ଏ ସ୍ଥଳଟି ଥିଲା ଅଗମ୍ୟ ଅତ୍ୟନ୍ତ ।

ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ମହୋଦୟ

ଶ୍ରୀ ଅଇଁଠୁ ସାହୁ ହୋଇଣ ସଦୟ ।

ରାସ୍ତା ନିର୍ମାଣରେ ହେଲେ ଆଗଭର

ରାସ୍ତା ହେଲା ପକ୍କା ଉଦ୍ୟମେ ତାଙ୍କର ।

ପାଟଣାଗଡ଼ରୁ ଖପ୍ରାଖୋଲ ଦେଇ

ପୀଠଯାଏଁ ରାସ୍ତା ଗଲା ପକ୍କା ହୋଇ ।

ପୋଲ ବନ୍ଧାଇଲେ ନଦୀନାଳ ପରେ

ଲୋକେ ଚଳାଚଳ କଲେ ନିଶ୍ଚିନ୍ତରେ ।

ବଲାଙ୍ଗିର ଠାରୁ ସରକାରୀ ଯାନ

ପ୍ରତ୍ୟହ ଏଠାକୁ କଲା ଆଗମନ ।

ପର୍ଯ୍ୟଟନସ୍ଥଳୀ ରୂପେ ଏହି ପୀଠ

ଘୋଷିତ ହୁଅନ୍ତେ ପୁରିଲା ଅଭୀଷ୍ଟ ।

ରାଜୋଦ୍ୟାନ ପାର୍ଶ୍ୱେ ହରିଣ ଉଦ୍ୟାନ

ତା ପାର୍ଶ୍ୱରେ ଏକ ବିଶ୍ରାମ ଭବନ ।

ଭକତଙ୍କ ପାଇଁ ହୋଇଲା ନିର୍ମିତ

ଭକତେ ହୋଇଲେ ଅତିଶୟ ପ୍ରୀତ ।

ଉତ୍ସାହୀ, ଉଦ୍ୟମୀ ଜନତା ସେବକ

ଜନହିତ କାମ କଲେ ସେ ଅନେକ ।

ତାଙ୍କ ସମ ଏକ ଯୋଗ୍ୟ ରାଜନେତା

ପାଇ ଧନ୍ୟ ହେଲେ ଅଂଚଳ ଜନତା ।

ଓଡ଼ିଶାରେ ପ୍ରଭୁ ଶ୍ରୀହରିଶଙ୍କର

ନାମ ଖ୍ୟାତ ହେଲା ଉଦ୍ୟମେ ତାଙ୍କର ।

ଅନତି ଦୂରସ୍ଥ ମହରାପଦର

ଗ୍ରାମ ସରପଞ୍ଚ ଥିଲେ ରତ୍ନାକର- ।

କୁଅଁର, ଶିକ୍ଷିତ ଯୁବକ ଉତ୍ସାହୀ

ଥିଲେ ମଧ୍ୟ ସେହୁ ଅତି ଗୁଣଗ୍ରାହୀ ।

ପୂର୍ବୋକ୍ତ କାର୍ଯ୍ୟରେ ତାଙ୍କ ଅବଦାନ

ମନ୍ତ୍ରୀଙ୍କ ସହିତ ଥିଲା ତ ସମାନ ।

ଏହି ପୀଠ ସ୍ଥଳୀ ଥିବ ଯେତେଦିନ

କୀର୍ତ୍ତି ସେମାନଙ୍କ ନହେବ ମଳିନ ।

ଏତେସବୁ ଶୁଣି ସେ ଯୁବକଦ୍ୱୟ

ମନୁରୁ ତାଙ୍କର ତୁଟିଲା ସଂଶୟ ।

ଭକ୍ତିଧର୍ମ ପୂର୍ଣ୍ଣ ସଉନ୍ଦର୍ଯ୍ୟ ଖଣି

ପ୍ରବେଶି ଆହୁରି ଉପଯୁକ୍ତ ମଣି ।

ଶେଷେ ଧନ୍ୟବାଦ ଅର୍ପି ସେବକଙ୍କୁ

ମନେ ଚିନ୍ତାକଲେ ଫେରିବା ପଥକୁ ।

ଅତିଭକ୍ତି ଭରେ ଶିବଙ୍କ ପୟରେ

ନତ କରି ମଥା ଭାବ ଆବେଗରେ ।

ଫେରି ଯାଇଥିଲେ ନିଜ ଭବନକୁ

ସେବକ ଅନାଇ ରହିଲେ ବାଟକୁ ।

Image